ସ୍ୱଚ୍ଛତା ସର୍ବେକ୍ଷଣ-୨୦୨୧ : ଜାତୀୟସ୍ତରରେ ୧୦୯ ଓ ରାଜ୍ୟସ୍ତରରେ ୩ ନମ୍ବରରେ ବାଲେଶ୍ୱର
ବାଲେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ର ଫଳାଫଳ ପ୍ରକାଶ ପାଇଛି । ଜାତୀୟସ୍ତରରେ ଅମୃତ ସହର ଯୋଜନାରେ ବାଲେଶ୍ୱର ୧୦୯ ନମ୍ବର ସ୍ଥାନରେ ରହି ଥିବାବେଳେ ରାଜ୍ୟସ୍ତରରେ ୩ ନମ୍ବରରେ ରହିଛି ।
ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ବ୍ରହ୍ମପୁର, ଦ୍ୱିତୀୟରେ ରାଉରକେଲା ଏବଂ ତୃତୀୟ ସ୍ଥାନରେ ବାଲେଶ୍ୱର ରହିଛି । ଏଥିସହିତ ମ୍ୟୁନିସିପାଲଟି-ଏନଏସି ସ୍ତରରେ ସ୍ୱଚ୍ଛତା କ୍ଷେତ୍ରରେ ରାଜ୍ୟସ୍ତରରେ ୧ ନମ୍ବର ରହିଛି ବାଲେଶ୍ୱର ପୌରାଞ୍ଚଳ । ଯାହାକୁ ନେଇ ପୌରପାଳିକା ବିଭାଗ ଖୁସିବ୍ୟକ୍ତ କରିଛି । ଆଗାମୀ ଦିନରେ ବାଲେଶ୍ୱର ପୌରପାଳିକା ୧ ନମ୍ବର ରହିବ ବୋଲି ପୌରପାଳିକା ପ୍ରୟାସ ଚଳାଇଛି । ୨୦୨୧ ମସିହା ମାର୍ଚ୍ଚ ମାସରେ ଚାଲିଥିଲା ‘ସ୍ୱଚ୍ଛତା ସର୍ବେକ୍ଷଣ-୨୦୨୧’ । ଏଥିରେ ସମଗ୍ର ଦେଶରୁ ୪୩୨୦ଟି ସହରାଞ୍ଚଳ ଭାଗ ନେଇଥିବା ବେଳେ ଓଡ଼ିଶାର ପ୍ରାୟ ସମସ୍ତ ସହର ଭାଗ ନେଇଥିଲେ । ଏହି ପରିପ୍ରେକ୍ଷୀରେ ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ୩୭୨ଟି ସହର ମଧ୍ୟରେ ବାଲେଶ୍ୱର ରହିଥିବାର ଶନିବାର ପୌରାଞ୍ଚଳ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି । ।
