ଲଗାତାର ସପ୍ତମ ଦିନରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ
ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ସାଙ୍ଘାତିକ ହେଉଛି । ଶନିବାର ସକାଳେ ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ ବାୟୁମାନ ସୂଚକାଙ୍କ 355 ରହିଛି । ଗତକାଲି ୩୩୨ ଥିବା ବେଳେ ଆଜି ଏହା ବୃଦ୍ଧି ହୋଇଛି । ଯାହା ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି ।
ତେବେ ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଜରୁରୀକାଳୀନ ପଦକ୍ଷେପ ନେଇ ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ୍ବାର୍କ ଫର୍ମ ହୋମ ( work from home) କରିବା ନେଇ ଘୋଷଣା କରିଥିଲେ । ଏଥି ସହ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଯିବା କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ଜାରି କରିଥିଲେ । ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପରିବେଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ପରାମର୍ଶକୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ଥରୀୟ ବୈଠକର ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ତେବେ ଦିଲ୍ଲୀରେ ଏବେ ଯାନବାହାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ସରକାରୀ ଏଜେନ୍ସି ଅନୁଯାୟୀ, ଏକ୍ୟୁଆଇ ୦-୫୦ ମଧ୍ୟରେ ରହିଲେ ଏହାକୁ ‘ଭଲ’ ବୋଲି ବିଚାର କରାଯାଏ । ସେହିପରି ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୦-୨୦୦ ମଧ୍ୟରେ ରହିଲେ ମଧ୍ୟମ, ୨୦୧-୩୦୦ ମଧ୍ୟରେ ରହିଲେ ଖରାପ, ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ ୪୦୧-୫୦୦ ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।
