ପ୍ରକାଶ ପାଇଲା +୨ ଅଫଲାଇନ ରେଜଲ୍ଟ, ପାସହାର ୬୮.୬୬%
ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିନ ୧୧ଟା ରେଜଲ୍ଟ ପ୍ରକାଶ କରାଯାଇଛି । ପରୀକ୍ଷାରେ ପାସହାର ୬୮.୬୬ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗୁଆ ଅଛନ୍ତି । ଛାତ୍ରୀଙ୍କ ପାସହାର ୬୭.୭୬% ଥିବାବେଳେ ଛାତ୍ରଙ୍କ ପାସହାର ୬୨.୭୧ ପ୍ରତିଶତ ରହିଛି । ମୋଟ ୧୨,୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮,୪୬୦ ଜଣ ପାସ୍ କରିଛନ୍ତି । କଳାରେ ୬୩୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବିଜ୍ଞାନରେ ୧୫୦୧, ବାଣିଜ୍ୟରେ ୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପରୀକ୍ଷାରେ ଛାତ୍ରମାନଙ୍କ ପାସହାର ୬୨.୭ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ପାସହାର ୬୭.୭୬ ପ୍ରତିଶତ ରହିଛି। www. orissaresults.nic.in ୱେବସାଇଟରେ ଅଫଲାଇନ ରେଜଲ୍ଟ ଉପଲବ୍ଧ ହୋଇଛି ।
ସୂଚନା ଯେ, ଯୁକ୍ତ୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବରରେ ସ୍ବତନ୍ତ୍ର ପରୀକ୍ଷା କରାଯାଇଥିଲା। ଗତ ଅକ୍ଟୋବର ମାସ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅଂଶଗ୍ରହଣ ପାଇଁ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୮୯୯୧ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୨୩୩୧, ବାଣିଜ୍ୟରେ ୬୧୭ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୬୧୭ ଜଣ ପରୀକ୍ଷା ଦେଇଥିଲେ।
