ଓଡ଼ିଶାର ସ୍କିଲ ଇକୋସିଷ୍ଟମ୍ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ
ଭୁବନେଶ୍ୱର : ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡିଶା ଅନନ୍ୟ । ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ୪୦ ଜଣିଆ ଦଳ ଏଠାରେ ପ୍ରଚଳିତ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ(ଟିଭିଇଟି) ବିଷୟରେ ଜାଣିବା ନିମନ୍ତେ ଓଡିଶା ଗସ୍ତ କରିଥିଲେ । ଏ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍୍ଡିଏ) ଦ୍ୱାରା ୱାର୍ଲ୍ଡ ସ୍କିଲ ସେଂଟରଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଯୋଗଦେଇ କହିଥିଲେ ଯେ ମହାରାଷ୍ଟ୍ର ଏକ ଆକାଂକ୍ଷୀ ରାଜ୍ୟ ଯାହା ସମସ୍ତଙ୍କ ପାଇଁ ଗୌରବର ବିଷୟ ଅଟେ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ରଥଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ମହାପ୍ରସାଦ ପର୍ଯ୍ୟନ୍ତ ସବୁଥିରେ ସ୍କିଲ ଭରି ରହିଛି । ପୁରାତନକାଳରୁ ଓଡିଶା ସ୍କିଲର ଗନ୍ତାଘର । ନାନୋ ୟୁନିକର୍ଣ୍ଣ ଭଳି ଉଦ୍ୟୋଗୀତା କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁ ରେ କ୍ଷୁଦ୍ର ଶିଳ୍ପର ବିକାଶ ହେବାର ଆବଶ୍ୟକତା ରହିଛି । ଯାହାଫଳରେ ପ୍ରକୃତ ଅର୍ଥରେ ଆତ୍ମନିର୍ଭର ଭାରତର ସ୍ୱପ୍ନ ସାକାର ହୋଇପାରିବ । ଓଏସ୍ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଓଡିଶାର ଟିଭିଇଟି କ୍ଷେତ୍ରର ସଫଳତା ବିଷୟରେ ସମସ୍ତଙ୍କୁ ବିସ୍ତୃତ ସୂଚନା ଦେଇଥିଲେ । ସେ ଏହି ଅବସରରେ ସମସ୍ତ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ଯେ ବ୍ରହ୍ମପୁର ଏବଂ କଟକ ସରକାରୀ ଆଇଟିଆଇ କରୋନା ମହାମାରୀ ସମୟରେ ନୂତନ ଉଦ୍ଭାବନ ତିଆରି କରି ପେଟେଂଟ ହାସଲ କରିବାରେ ସଫଳ ହୋଇପାରିଛନ୍ତି ।
ମହାରାଷ୍ଟ୍ର ଦକ୍ଷତା ବିକାଶ ମିଶନର ଉପ ନିର୍ଦ୍ଦେଶକ, ନାମଦେଓ ଭୋସଲେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପାଇଁ ନେଇଥିବା ପ୍ରତିବଦ୍ଧତା ଦେଖି ଖୁସି ବ୍ୟକ୍ତ କରିଥିଲେ । ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ଅନୁସଚିବ ସନ୍ତୋଷ ରକାଡେ ଆଇଟିଆଇରେ ପ୍ରଦାନ କରାଯାଉଥିବା ଲାଇଫ୍ ସ୍କିଲ ପ୍ରଶିକ୍ଷଣ, ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀତା କାର୍ଯ୍ୟକ୍ରମ ଏବଂ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଭଳି ପଦକ୍ଷେପ ନେବାକୁ ଆମେ ମନ୍ତ୍ରାଳୟ ନିକଟରେ ପ୍ରସ୍ତାବ ଦେବୁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ପ୍ରତିନିଧି ଦଳ ୧୫ ରୁ ୧୮ ପର୍ଯ୍ୟନ୍ତ ଚାରି ଦିନ ଧରି ସରକାରୀ ଆଇଟିଆଇ କଟକ, ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକ ଏଲ ଏଣ୍ଡ ଟି ସେଂଟର, ୱାର୍ଲ୍ଡ ସ୍କିଲ ସେଂଟର, ସିଏସ୍ତା ହସ୍ପିଟାଲିଟି ସେଣ୍ଟର ଛତ୍ରପୁର, ସରକାରୀ ଆଇଟିଆଇ ବ୍ରହ୍ମପୁର,ସରକାରୀ ଆଇଟିଆଇ ପୁରୀ ଏବଂ ସଂକଳ୍ପ ଯୋଜନା ତାଲିମ କେନ୍ଦ୍ରକେନ୍ଦ୍ରାପଡା ଗସ୍ତ କରିଥିଲେ । ସରକାରୀ ଆଇଟିଆଇ କଟକରେ ଦେଶର ପ୍ରଥମ ସ୍କିଲ ମ୍ୟୁଜିୟମ, ନବନିର୍ମିତ ପରୀକ୍ଷାଗାର ଯେପରିକି ମେକାଟ୍ରନିକ୍ ଲ୍ୟାବ୍, ଏନ୍ଡିଟି ଲ୍ୟାବ୍, ଜନ୍ ବେନ୍ ହୁଇଲ୍ କେୟାର ସେଣ୍ଟର, ମ୍ୟାନ ମେସିନ କାର ସର୍ଭିସ ସେଂଟର ଆଦି ପରିଦର୍ଶନ କରିଥିଲେ । ବ୍ରହ୍ମପୁର ସରକାରୀ ଆଇଟିଆଇରେ ସେମାନେ ୱାର୍କସପ୍ ଓ ମୁକ୍ତାକାଶ ସ୍କାର୍ପ ମ୍ୟୁଜିୟମ ଦେଖି ଅବିଭୂତ ହୋଇଯାଇଥିଲେ । ୱାର୍ଲ୍ଡ ସ୍କିଲ ସେଂଟର ଠାରେ ମଧ୍ୟ ଏହାର ଭିତିଭୂମି ଓ ଅତ୍ୟାଧୁନିକ ଲ୍ୟାବ୍ ପରିଦର୍ଶନ କରି ଖୁବ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ବିଭାଗ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ, ଶ୍ରୀମତି ରେଣୁପ୍ରଭା ନାୟକ, ଉପ ନିର୍ଦ୍ଦେଶକ, ଏସ୍ କେ ଦାସ, ନିୟୋଜନ ଅଧିକାରୀ, ଶ୍ରୀ ଏସ୍ ଭି ଏନ୍ ରାଓ ଓ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
