ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟି-୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ
ରାଞ୍ଚି : ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟି-୨୦। ଶୁକ୍ରବାର ରାଞ୍ଚିରେ ଏହି ମ୍ୟାଚ ଖେଳାଯିବ । ପ୍ରଥମ ଟି-୨୦କୁ ବିଜୟ ସହ ଭାରତ ଏହି ମ୍ୟାଚ୍କୁ ଜିତି ଶୃଙ୍ଖଳା ବିଜୟ ଲକ୍ଷ୍ୟ ରଖିଛି। ସେହିପରି ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ନିଜ ପ୍ରଥମ ମ୍ୟାଚ୍କୁ ଜିତି ସଫଳ ଆରମ୍ଭ କରିଛନ୍ତି। ଶୁକ୍ରବାର ବିଜୟୀ ହେଲେ ଏହି ଦୁଇ ଜଣଙ୍କର ମିଳିତ ଭାବେ ଏହା ପ୍ରଥମ ଶୃଙ୍ଖଳା ବିଜୟ ହେବ। ଅନ୍ୟପକ୍ଷରେ ଭାରତ ଘରୋଇ ମାଟିରେ ଲଗାତାର ପଞ୍ଚମ ଦ୍ୱିପାକ୍ଷିକ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଜିତିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ପ୍ରଥମ ବିଜୟ ହାସଲ କରିବା ସହ ଭାରତ ବିଜୟରେ ରୋକ ଲଗାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଜଣାପଡିଛି। ଫଳରେ ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଦ୍ଵିତୀୟ ଟି-୨୦ରେ ଭାରତ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ରହିଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ଏକପ୍ରକାର ଭଲ ଖେଳିଥିଲା। ତଥାପି ଦଳର ଅନେକ ଦୁର୍ବଳତା ଦୂର ହୋଇନଥିଲା। ଯାହାକୁ ରାଞ୍ଚିରେ ଦୂର କରିବାକୁ ଦ୍ରାବିଡ଼-ରୋହିତ ନିଶ୍ଚିତ ରଣନୀତି ପ୍ରସ୍ତୁତ କରିଥିବେ। ପ୍ରଥମ ଟି-୨୦ରେ ଅବଶ୍ୟ ଦୁଇ ବରିଷ୍ଠ ବୋଲର ଭୁବନେଶ୍ବର କୁମାର ଓ ଆର ଅଶ୍ବିନ ନିଜ ପୁରୁଣା ଚମକ ଫେରି ପାଇବାର ସଙ୍କେତ ଦେଇଥିଲେ। ବିଶେଷ କରି ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ବକପ୍ ମ୍ୟାଚ୍ରେ ଖରାପ ପ୍ରଦର୍ଶନ କରିବା ପରେ ଦଳରୁ ବାଦ ପଡ଼ିଥିବା ଭୁବିଙ୍କୁ ନୂଆ ଅଧିନାୟକ ଓ ପ୍ରଶିକ୍ଷକ ପୁଣି ଥରେ ଦଳରେ ନେଇ ଏକ୍ରପକାର ନୂଆ ଜୀବନ ଦେଇଥିଲେ। ସେ ମଧ୍ୟ ସବାଇ ମାନସିଂହ ଷ୍ଟାଡିୟମ୍ରୁ ମିଳୁଥିବା ସୁଇଂରୁ ପୂରା ଫାଇଦା ଉଠାଇ ୨୪ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିନେଇଥିଲେ। ଅଶ୍ବିନ ୨୩ ରନ୍ ଦେଇ ୨ ୱିକେଟ୍ କରାୟତ୍ତ କରିଥିଲେ। ହେଲେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ପାଳିର ଶେଷ ଓଭରରେ ଆହତ ହୋଇଥିଲେ, ତାଙ୍କୁ ନେଇ କିନ୍ତୁ ଦଳୀୟ ଅଧିକାରୀମାନେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ଦୁଇଟି ପରିବର୍ତନ କରିପାରେ। ପ୍ରଥମ ମ୍ୟାଚ୍ ଖେଳିଥିବା ରାଚିନ ରବୀନ୍ଦ୍ର ଏବଂ ଟଡ୍ ଆସ୍ଲେଙ୍କଉ ବାଦ୍ ଦେଇ ଜେମ୍ସ ନୀସାମ ଓ ଈଶ୍ ସୋଢ଼ିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ଚିନ୍ତା କରୁଛି। ରାଞ୍ଚିରେ ମଧ୍ୟ ଜୟପୁର ଭଳି କାକର ପଡ଼ିବାର ଆଶଙ୍କା ଅଧିକ। ଏଣୁ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂର ପସନ୍ଦ କରିବ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ/ୟୁଝବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଦୀପକ ଚହର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ମାର୍କ ଚାପମ୍ୟାନ୍, ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଟ୍ରେଣ୍ଟ୍ ବୋଲ୍ଟ, ଲୋକି ଫର୍ଗୁସନ୍/ଆଦାମ ମିଲ୍ନେ, ଈଶ୍ ସୋଢି/ ଟଡ୍ ଆସ୍ଲେ।
