ଆଜି କାର୍ତ୍ତିକ ପୂର୍ଣ୍ଣିମା : ଦାନ କଲେ କୋଟିପୁଣ୍ୟ ଓ ଶିବଲିଙ୍ଗରେ ଜଳ ଢାଳିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ
ଆଜି ହେଉଛି କାର୍ତ୍ତିକ ମାସ ଶୁକ୍ଳପକ୍ଷର ପବିତ୍ର ପୂର୍ଣ୍ଣିମା ତିଥି। ଏହି ଦିନଟି କାର୍ତ୍ତିକ ପୂର୍ଣ୍ଣିମା, ରାସ ପୂର୍ଣ୍ଣିମା ନାମରେ ପରିଚିତ ହୋଇଥିବା ବେଳେ ଏହା ତ୍ରିପୁରାରୀ ପୂର୍ଣ୍ଣିମା ବା ଦେବ ଦୀପାବଳି ନାମରେ ମଧ୍ୟ ଜଣାଯାଏ। ଏହି ଦିବସଟିକୁ ସାରା ଦେଶରେ ହିନ୍ଦୁ, ଶିଖ୍ ଓ ଜୈନ୍ମାନେ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି। ବିଶେଷକରି ଓଡ଼ିଶାରେ ଏହି ଦିବସଟିକୁ ନିଆରା ଢଙ୍ଗରେ ପାଳନ କରାଯାଉଛି। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତଃପ୍ରୋତ ଭାବେ ଜଡ଼ିତ। ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସମ୍ପୃକ୍ତ ଯେ ଏହି ଦିବସର ଗୁରୁତ୍ୱକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ। ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ। ବିଶ୍ୱଜନନୀ କରୁଣାମୟୀ ମା’ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେ ପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ। ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ। ଏଥିସହ ମହାଦେବ ଓ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ତେବେ ଓଡ଼ିଶାରେ ଏଥି ସହିତ ଆଉ ଏକ ସ୍ବତନ୍ତ୍ର ଉତ୍ସବ ପାଳିତ ହୁଏ ଯାହା ବୋଇତ ବନ୍ଦାଣ ନାମରେ ଖ୍ୟାତ। ଏହାପଛରେ ରହିଛି ପ୍ରାୟ ଅଢ଼େଇ ହଜାର ବର୍ଷର ଗୌରବପୂର୍ଣ୍ଣ ଐତିହ୍ୟ ଏବଂ ଅନେକ ଲୋକକଥା।
ହିନ୍ଦୁଧର୍ମରେ କାର୍ତ୍ତକ ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଏହି ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ଓ ତ୍ରିପୁରା ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନ୍ୟତା ରହିଛି ଯେ ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥଲେ। ଯେଉଁଥିପାଇଁ ଏହାକୁ ତ୍ରିପୁରା ପୂର୍ଣ୍ଣିମା କୁହାଯାଏ। ଅଧିକାଂଶ ଲୋକ ଏହି ପବିତ୍ର ଦିନରେ ଗଙ୍ଗାରେ ସ୍ନାନ କରିଥାନ୍ତି। ଏହିଦିନରେ ଗରିବମାନଙ୍କୁ ଚାଉଳ ଦାନ କରିବା, ଘରର ଦ୍ୱାରରେ ମୁରୂଜ ପକାଇବା ଶୁଭଙ୍କର ହୋଇଥାଏ ବୋଲି ବିଶ୍ୱାସ ରହିଛି ଏବଂ ଶିବଲିଙ୍ଗରେ ଜଳ ଢାଳିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି କୁହାଯାଏ। ଓଡ଼ିଶାର ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତର ଆଦି ପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ। ପୁନଶ୍ଚ କାର୍ତ୍ତିକ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ। ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳବୃଦ୍ଧବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖିବାକୁ ମିଳିଥାଏ। କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଏବଂ ଭୀଷ୍ମ ପଞ୍ଚକ ନାମରେ ପରିଚିତ। ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି। ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣିମା ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ମହିଳାମାନେ ରାଇଦାମୋଦର ବ୍ରତର ଉଦ୍ଯାପନ କରିଥାନ୍ତି। ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ବଳନ କରିଥାନ୍ତି। ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଏ।
ବାଲିଯାତ୍ରା, ବୋଇତ ବନ୍ଦାଣ ବା ଡଙ୍ଗାଭସା ସହ ଜଡ଼ିତ ହୋଇ ରହିଛି ଲୋକବିଶ୍ବାସ, କିମ୍ବଦନ୍ତୀ ଓ ଇତିହାସ। କଳିଙ୍ଗର ସାଧବ ପୁଅମାନେ ବୋଇତରେ ଜାଭା, ବାଲି, ସୁମାତ୍ରା ଓ ବୋର୍ଣ୍ଣିଓ (ଇଣ୍ଡୋନେସିଆ) ଆଦି ସ୍ଥାନକୁ ଏହି ସମୟରେ ବେପାର ବଣିଜ କରିବାକୁ ଯାଉଥିଲେ। ସେହି ସ୍ମୃତିକୁ ମନେପକାଇ ଉପକୂଳ ଅଞ୍ଚଳରେ ବାଲିଯାତ୍ରାର ଆୟୋଜନ କରାଯାଏ। ଏହି ସମୟକୁ ସାଧବମାନେ ବୋଇତରେ ବିଦେଶ ଯିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଭାବୁଥିଲେ। କାରଣ ଏହି ସମୟରେ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା। ଲୋକବିଶ୍ବାସ ଅନୁସାରେ, କଳିଙ୍ଗର ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବିଦେଶକୁ ଯାଉଥିଲେ। ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଦିନ ବାଣିଜ୍ୟ ସାରି ସାଧବମାନେ କଳିଙ୍ଗ ଫେରିଆସୁଥିବାରୁ ସେମାନଙ୍କ ସ୍ୱାଗତ ଉପଲକ୍ଷେ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଥିଲା।
ସେହିପରି ଶ୍ରୀଚୈତନ୍ୟ ଯେତେବେଳେ ପଶ୍ଚିମବଙ୍ଗର ନଦୀୟାରୁ ପୁରୀ ଆସୁଥିଲେ, ସେତେବେଳେ ସେ ଉଦଣ୍ଡ କୀର୍ତ୍ତନ କରି ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡ଼ି ଯାଇଥିଲେ। ସେଥିପାଇଁ କଟକର ସେହି ଘାଟ ଗଡ଼ଗଡିଆ ଘାଟ ଭାବେ ଜଣାଶୁଣା ହେଲା ଓ ସେହି ସ୍ମୃତି ଆଧାରରେ ଏଠାରେ ବାଲିଯାତ୍ରା ଉତ୍ସବ ଆୟୋଜିତ ହେଲା। ତେବେ ଅନେକ ଗବେଷକ ଏହି ମତକୁ ଖଣ୍ଡନ କରିଥାନ୍ତି। ସେମାନଙ୍କ କହିବା ଅନୁସାରେ ଗଡ଼ର ଘାଟ ହୋଇଥିବାରୁ ସେଠାରେ ଗଡ଼ଚଣ୍ଡୀ ପୀଠ ରହିଛି ଓ ଲୋକଉକ୍ତିରେ ପରେ ଏହା ଗଡ଼ଗଡ଼ିଆ ଘାଟ ଭାବେ ଜଣାଶୁଣା ହୋଇଛି। ଉତ୍କଳର ରାଜା ଉଦ୍ୟୋତ କେଶରୀ ସିଂହଳ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି କେହି କେହି କହନ୍ତି। ଐତିହାସିକ ତଥ୍ୟ ଅନୁସାରେ ଉଦ୍ୟୋତ କେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାସ୍ତ କରି ଦକ୍ଷିଣ ଭାରତ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ। ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର। ସିଂହଳ ବିଜୟ ପରେ ବହୁ ଧନରତ୍ନ ଧରି ସେ ଓଡ଼ିଶା ଫେରିଥିଲେ। ଜଳପଥରେ ମହାନଦୀ ମୁହାଣ ଦେଇ ସେ କଟକରେ ବିଶ୍ରାମ ନେଇଥିଲେ ଆଉ ସେହି ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହୁଏ ବୋଲି ଅନେକ ଲୋକମତ ରହିଛି। ବାଲିଯାତ୍ରା ସହ ଓଡ଼ିଶାର ପ୍ରସିଦ୍ଧ ଲୋକକାହାଣୀ ତଅପୋଇ କଥା ବି ଜଡ଼ିତ ହୋଇ ରହିଛି। ଝିଅମାନେ କରୁଥିବା ଖୁଦୁରୁକୁଣି ଓଷା ଏହାର ପ୍ରମାଣ ବୋଲି କେହି କେହି କହନ୍ତି। ଭାଉଜମାନଙ୍କ ଦ୍ବାରା ନିର୍ଯାତିତ ତଅପୋଇ ବାଣିଜ୍ୟ ପାଇଁ ବିଦେଶ ଯାଇଥିବା ତା’ ଭାଇମାନଙ୍କ ସୁରକ୍ଷା ଲାଗି ମା’ ମଙ୍ଗଳାଙ୍କ ପୂଜା କରିଥିବା ଗବେଷକମାନେ କୁହନ୍ତି। ବାଲିଯାତ୍ରା ସହ ଓଡ଼ିଶା ଅଢ଼େଇ ହଜାର ବର୍ଷର ଐତିହ୍ୟ ଜଡ଼ିତ ଥିବା କୁହାଯାଏ।
ପବିତ୍ର କାର୍ତ୍ତିକ ମାସର ବିଭିନ୍ନ ରୀତି ନୀତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତି ଉଜ୍ଜୀବିତ ହୋଇଥାଏ। ଅତୀତରେ ଓଡ଼ିଶାରୁ ସାଧବ ପୁଅମାନେ ନୌବାଣିଜ୍ୟ କରିବା ଉଦ୍ଦେଶ୍ୟରେ ଜାଭା, ବୋର୍ଣ୍ଣିଓ, ସୁମାତ୍ରା, ବାଲି ଆଦି ଦ୍ବୀପପୁଞ୍ଜକୁ ବୋଇତରେ ଯାଉଥିଲେ। ଏହି ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଆଜି ଭଳି ପବିତ୍ର ଦିବସରେ ସାରା ରାଜ୍ୟରେ ଡଙ୍ଗା ଭସାଣ କାର୍ଯ୍ୟକ୍ରମ ପାଳିତ ହେଉଛି। ଏହି କ୍ରମରେ କଟକ ପ୍ରସିଦ୍ଧ ବାଲିଯାତ୍ରା ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି। ସେହିପରି କୁଆଖାଇ ପଠାର ବରୀମୁଣ୍ଡଠାରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯିବା ସହ ଭୁବନେଶ୍ବର ବାଲିଯାତ୍ରା ଉତ୍ସବ ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଆଜି ସରିଛି ଧର୍ମମାସ କାର୍ତ୍ତିକ। ଉଭୟ ଆଧ୍ୟାତ୍ମିକ ଓ ଐତିହାସିକ ଦିଗରୁ ଆଜିର ଦିନଟି ବେଶ୍ ଗୁରୁତ୍ବପୂର୍ଣ୍ଣ। ମାସେ ଧରି ବ୍ରତ ପାଳନ କରୁଥିବା ହବିଷ୍ୟାଳି ଆଜି ମହାପ୍ରଭୁଙ୍କୁ ରାଜରାଜେଶ୍ବର ବେଶରେ ଦର୍ଶନ କରିବା ପରେ ବ୍ରତ ଭାଙ୍ଗିଛନ୍ତି। ତା’ ସହିତ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଲାଗିଛି ଭକ୍ତଙ୍କ ଭିଡ଼। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାର ଗୁରୁତ୍ବ ସାରା ଦେଶରେ ମଧ୍ୟ ରହିଛି। ଏହି ଦିନ ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାସ୍ନାନ କରି ଭଗବାନ ବିଷ୍ଣୁଙ୍କ ଦର୍ଶନ କରିଥାନ୍ତି। ଏଥିପାଇଁ ଏହାକୁ ତ୍ରିପୁରୀ ପୂର୍ଣ୍ଣିମା ବା ତ୍ରିପୁରାରୀ ପୂର୍ଣ୍ଣିମା ବା ଗଙ୍ଗାସ୍ନାନ ପୂର୍ଣ୍ଣିମା କୁହାଯାଇଥାଏ। ପ୍ରତ୍ୟୁଷରୁ ବୁଡ଼ ପକାଇଲେ କୋଟି କୋଟି ପାପକ୍ଷୟ ହୋଇଥାଏ ବୋଲି କିମ୍ବଦନ୍ତୀ ରହିଛି। ଏହି ପବିତ୍ର ଦିନରେ ଶିଖ ଧର୍ମର ପଥପ୍ରଦର୍ଶକ ଗୁରୁ ନାନକ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥି ପାଳନ ପାଇଁ ଏହି ଦିବସଟି ଶିଖ୍ ଧର୍ମରେ ପ୍ରକାଶ ପର୍ବ ଭାବେ ପାଳିତ ହୋଇ ଆସୁଛି। ଏଣୁ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସାରା ଦେଶ ବେଶ୍ ଚଳଚଞ୍ଚଳ ହୋଇଉଠିଛି।
ଆ କା ମା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର…। ଆଜି ଭୋର୍ରୁ ସମସ୍ତ ପୁଷ୍କରିଣୀ, ନଦୀ କୂଳରେ ଗୁଞ୍ଜରିତ ହୋଇଛି ଏହି ଗୀତ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଆମାନେ ଏହି ଗୀତ ଗାଇ ବୋଇତ ବନ୍ଦାଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଛନ୍ତି। ଏଥିପାଇଁ ଭୋର୍ରେ ବେଶ୍ ଚଳଚଞ୍ଚଳ ହୋଇଛି ରାଜଧାନୀର ବିନ୍ଦୁ ସାଗର ସମେତ ମହାନଦୀର ଗଡ଼ଗଡ଼ିଆ ଘାଟ, ବନ୍ଦରନଗରୀ ପାରାଦୀପ ଓ ପୁରୀ ମହୋଦଧି ସମେତ ଅନ୍ୟ ଛୋଟବଡ଼ ଜଳାଶୟରେ ହୋଇଛି ସ୍ବତନ୍ତ୍ର ଆୟୋଜନ। ଶ୍ରଦ୍ଧାଳୁମାନେ ପରମ୍ପରାର ପ୍ରତୀକ କଦଳୀପାଟୁକା, ସୋଲରେ ତିଆରି ଡଙ୍ଗାରେ ଦୀପାଳି ଦେଇ ବେଶ୍ ଆଗ୍ରହର ସହିତ ନଦୀଘାଟରେ ଏହାକୁ ଭସାଇବାର ଦୃଶ୍ୟ ବେଶ ରୋମାଞ୍ଚକର ହୋଇଛି। ଏହାପରେ ନିକଟସ୍ଥ ଦେବାଳୟକୁ ଯାଇ ଠାକୁରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଆଜି ଭୋର୍ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମହୋଦଧି, ନରେନ୍ଦ୍ର, ଇନ୍ଦ୍ରଧନୁ, ମାର୍କଣ୍ଡ ଓ ପାର୍ବତୀସାଗର ପୁଷ୍କରିଣୀରେ ସ୍ନାନ କରିବା ସହ ‘ଆ କା ମା ବୈ…’ ଗୀତ ଗାଇ ଡଙ୍ଗା ଭସାଇଛନ୍ତି। ପୁରୀର ଶ୍ରୀମନ୍ଦିର ସମେତ ଲୋକନାଥ, ପଞ୍ଚମହାଦେବ ମନ୍ଦିର ଓ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସେହିପରି କଟକ ଗଡ଼ଗଡ଼ିଆ ଘାଟରେ ଆଜି ଭୋର୍ରୁ ପ୍ରବଳ ଜନ ସମାଗମ ହୋଇଥିଲା। ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପଟୁଆ ଓ ସୋଲ ଡଙ୍ଗା ଭସାଇ ନୌବାଣିଜ୍ୟକୁ ମନେ ପକାଇଥିଲେ। ସେହିପରି ଆଜି ସକାଳେ କୁଆଖାଇ ନଦୀରେ ବେଶ୍ ଭିଡ଼ ହୋଇଥିଲା। ଭୋର୍ରୁ ଶହ ଶହ ସଂଖ୍ୟାରେ ଲୋକେ ନଦୀପଠାରେ ରୁଣ୍ଡ ହୋଇ ସେମାନଙ୍କ ଦ୍ବାରା ସଜ୍ଜିତ ଡଙ୍ଗାକୁ ନଦୀ ଘାଟରେ ଭସାଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ଆୟୋଜନ କରାଯାଇଛି। ସେହିପରି ବିନ୍ଦୁସାଗର ସହିତ ଭୁବନେଶ୍ୱରର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି। ଭୁବନେଶ୍ବରର ଆରାଧ୍ୟଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଆଜି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଏତଦ୍ବ୍ୟତୀତ ଭୁବନେଶ୍ୱରର ସମସ୍ତ ଛୋଟବଡ଼ ମନ୍ଦିରରେ ମଧ୍ୟ ଭୋର୍ରୁ ଗହଳି ଲାଗିଥିବା ଦେଖିବାକୁ ମିଳିଛି।
