ଆଣ୍ଟାର୍କଟିକାରେ ପହଞ୍ଚିଲେ ୪୮ଜଣିଆ ଭାରତୀୟ ଗବେଷକ ଦଳ
ନୂଆଦିଲ୍ଲୀ: ୪୧ତମ ଆଣ୍ଟାର୍କଟିକା ଅଭିଯାନରେ ଏକ ୪୮ଜଣିଆ ଭାରତୀୟ ଗବେଷକ ଦଳ ସେଠାରେ ପହଞ୍ଚିଛନ୍ତି। ଏହି ଦଳ ଆଣ୍ଟାର୍କଟିକା ମହାଦେଶର ଜଳବାୟୁ, ବରଫ ତରଳିବା ଓ ଶୀତଳ ପବନ ସମ୍ପର୍କରେ ଗବେଷଣା କରିବ। ଡ. ଶୈଳେନ୍ଦ୍ର କୁମାର ସାଇନିଙ୍କ ନେତୃତ୍ବରେ ଯାଇଥିବା ୪୮ ଜଣିଆ ଦଳରେ ୨୩ ଜଣ ଗବେଷକ ଓ ସେମାନଙ୍କ ସହଯୋଗୀ ଅଛନ୍ତି। ଏମ୍ଭି ଭାସିଲି ଗୋଲୋଭନିନ୍ ଭାସମାନ ଯାନ ସହାୟତାରେ ସେମାନେ ଆଣ୍ଟାର୍କଟିକାକୁ ଯାତ୍ରା କରିଛନ୍ତି। ଭାରତ ପକ୍ଷରୁ ଥାଲା ଫୋର୍ଡ ଓ କ୍ବାଲିଟି ବେ’ ମଧ୍ୟରେ ପ୍ରତିଷ୍ଠିତ ‘ମୈତ୍ରୀ ଷ୍ଟେସନ୍’ ଓ ‘ଭାରତୀ ଷ୍ଟେସନ୍’ ଗବେଷଣାଗାରରେ ସେମାନେ କାର୍ଯ୍ୟ କରିବେ। ମୈତ୍ରୀ ଷ୍ଟେସନ୍ଠାରୁ ଭାରତୀ ଷ୍ଟେସନ୍ ପ୍ରାୟ ୩ ହଜାର କିଲୋମିଟର ଦୂରରେ ଅବସ୍ଥିତ। ଜାନୁଆରୀରେ ସେମାନଙ୍କୁ ସହାୟତା ପାଇଁ ଆଉ ୪ଟି ଦଳ ପହଞ୍ଚିବେ।
ପ୍ରାୟ ୧୦ହଜାର ବର୍ଷ ଧରି ଆଣ୍ଟାର୍କଟିକା ଏକମାତ୍ର ଜଳବାୟୁ ସଂଗ୍ରହାଳୟ ଭାବେ କାର୍ଯ୍ୟ କରୁଛି। ବ୍ରିଟେନ୍ ସହାୟତାରେ ସେଠାରେ ଜମିଥିବା ୫୦୦ମିଟର ବରଫ ପାହାଡ଼ର ନିମ୍ନାଂଶକୁ ଖେଳାଯାଇ ଗବେଷଣା କରାଯାଉଛି। ସମ୍ପ୍ରତି ଯାଇଥିବା ଅଭିଯାତ୍ରୀମାନେ ମାର୍ଚ୍ଚ ସୁଦ୍ଧା ଫେରିବେ। ୧୯୮୧ରେ ଭାରତର ଆଣ୍ଟାର୍କଟିକା ଅଭିଯାନ ଆରମ୍ଭ ହୋଇଥିଲା। ଏଥିପାଇଁ ସେଠାରେ ୧୯୮୩ରେ ଦକ୍ଷିଣ ଗଙ୍ଗୋତ୍ରୀ, ୧୯୮୮ରେ ମୈତ୍ରୀ, ୨୦୧୨ରେ ଭାରତୀ ନାମରେ ତିନିଟି ସ୍ଥାୟୀ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି।
