ବଦଳିଲା ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ
ପ୍ୟାରିସ : ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଦେଶର ଜାତୀୟ ପତାକାର ରଙ୍ଗ ପରିବର୍ତ୍ତନ କରିଛନ୍ତି। ସୂଚନା ଯେ, ଜାନୁଆରୀ ୧ ତାରିଖରେ ଫ୍ରାନ୍ସ ୟୁରୋପୀୟ ରାଷ୍ଟ୍ରସଂଘର ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଯାଉଥିବାବେଳେ ମାକ୍ରୋନ ଏପ୍ରିଲରେ ପୁନର୍ବାର ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଫ୍ରାନ୍ସର ଅତୀତର ବୀରତ୍ୱ କଥାକୁ ପ୍ରାଧାନ୍ୟ ଦେବା ପାଇଁ ଜାତୀୟ ପତାକା ରଙ୍ଗ ବଦଳାଇବାକୁ ମାକ୍ରୋନ ନିର୍ଦେଶ ଦେଇଥିଲେ। ପୂର୍ବରୁ ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ଲାଲ-ଧଳା ଏବଂ ନୀଳର ସମ୍ମିଶ୍ରଣ ଥିବାବେଳେ ସଂପ୍ରତି ସେଥିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଥିବା ଉଜ୍ଜ୍ୱଳ ନୀଳ ରଙ୍ଗ ସ୍ଥାନରେ ଗାଢ ନେଭି ବ୍ଲୁ ରଖାଯାଇଛି।
୨୦୧୮ରେ ପ୍ରଥମେ ମାକ୍ରୋନ ଅଭିଭାଷଣ ଦେବା ସମୟରେ ତାଙ୍କ ପଛପଟେ ଲଗାଇଥିବା ଜାତୀୟ ପତାକାରେ ଏଭଳି ରଙ୍ଗ ପରିବର୍ତ୍ତନ କରାଯାଇଥିଲା। ପରେ ୨୦୨୦ରୁ ଏଲିସି ରାଜପ୍ରାସାଦ ଏବଂ ତତ୍ ସମ୍ପର୍କିତ ଅନ୍ୟାନ୍ୟ ସୌଧରେ ଅନୁରୂପ ପତାକା ଉଡାଯାଇଥିଲା। ନେଭି ବ୍ଲୁ ରଙ୍ଗ ଫରାସୀ ବିପ୍ଳବରେ ଲଢେଇ କରିଥିବା ବୀରମାନଙ୍କର ସ୍ମୃତିକୁ ସତେଜ କରୁଛି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
