ଓକାକ୍ ସିଇଓଙ୍କ ହ୍ୱାଟସଆପ ହ୍ୟାକ ଘଟଣାରେ ନାଇଜେରିଆ ଲିଙ୍କ୍
ଭୁବନେଶ୍ୱର : ଓକାକ୍ ସିଇଓଙ୍କ ହ୍ୱାଟସଆପ ଠକେଇ ଘଟଣାରେ ଏବେ ଏକ ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି । ଠକେଇରେ ନାଇଜେରିଆ ଲିଙ୍କ୍ ଥିବା ନେଇ ସ୍ପଷ୍ଟ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ ବେଙ୍ଗାଲୁରୁରୁ ଅପରେଟ କରୁଥିଲେ ହ୍ୟାକର୍ । ଲିଙ୍କ୍ ପଠାଇ ହ୍ୱାଟ୍ସଆପ ଆକାଉଣ୍ଟକୁ ନିଜ କଣ୍ଟ୍ରୋଲକୁ ନେଉଥିଲେ । ନଭେମ୍ବର ୧ ରେ ଦିଲ୍ଲୀରେ ଏଭଳି ଘଟଣା ଘଟିବା ପରେ ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏହି ଗ୍ୟାଙ୍ଗ ର ମୁଖ୍ୟ ଅର୍ଥାତ୍ ଗିରଫ ଅଭିଯୁକ୍ତ ଚିମେଲନ ଏମାଲୁଏନ ଆନୁଏତାଲୁ ବୋଲି ଜଣାପଡିଥିଲା । ତେବେ ଓକାକ ମାମଲାରେ ତାର ମୁଖ୍ୟ ସହଯୋଗୀ ସାମିଲ ରହିଥିବା ନେଇ ଜଣାପଡିଛି । ସେ ଦିଲ୍ଲୀ ପୋଲିସ ଦ୍ୱାରା ମୋଷ୍ଟ ୱାଣ୍ଟେଡ୍ ଥିବା ନେଇ ସୂଚନା ମିଳିଛି । ଓଡି଼ଶା କ୍ରାଇମବ୍ରାଞ୍ଚ ଦିଲ୍ଲୀ ପୋଲିସ ଓ ବେଙ୍ଗାଲୁରୁ ପୋଲିସ ସହ ଯୋଗାଯୋଗରେ ଅଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନା ଯେ, ନଭେମ୍ବର ୧୧ ରେ ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟସ ଆପ ନମ୍ବର ହ୍ୟାକ୍ ହୋଇଥିଲା । ହ୍ୱାଟ୍ସଆପ ନମ୍ବର ହ୍ୟାକ୍ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ ହ୍ୟାକର୍ । ଏପରି କରି ୫ ଜଣଙ୍କ ଠାରୁ ୭ ଲଷ ଟଙ୍କା ଲୁଟି ନେଇଥିଲେ ହ୍ୟାକର୍ । ଜଣେ ସମ୍ପର୍କୀୟଙ୍କ ଫୋନ ଆସିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସହିଦ ନଗର ଥାନାରେ ସେ ଅଭିଯୋଗ କରିଥିଲେ ।
