ଦିବଙ୍ଗତ ଅଭିନେତା ପୁନୀତ ରାଜକୁମାରଙ୍କୁ ମିଳିବ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ସମ୍ମାନ
ବେଙ୍ଗାଲୁରୁ : ଦିବଙ୍ଗତ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କୁ ମିଳିବ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ସମ୍ମାନ ‘କର୍ଣ୍ଣାଟକ ରତ୍ନ’। ମରଣୋତ୍ତର ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୯ ଜଣଙ୍କୁ ଏହି ସମ୍ମାନ ମିଳିଛି। ପୁନୀତ ରାଜ୍ୟର ୧୦ମ ବ୍ୟକ୍ତି ଭାବେ ଏହି ସମ୍ମାନ ପାଇବେ। କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପରେ ପୁନୀତଙ୍କ ପୂର୍ବରୁ ତାଙ୍କ ପିତା ଡ. ରାଜକୁମାରଙ୍କୁ ମଧ୍ୟ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନିିତ କରାଯାଇଥିଲା। ଶେଷ ଥର ପାଇଁ ୨୦୦୯ରେ ବୀରେନ୍ଦ୍ର ହେଗଡେଙ୍କୁ ସମାଜସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇ ଏହି ଘୋଷଣା କରିବା ପରେ ପୁନୀତଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନା ଯେ, ଜିମ୍ରେ ୱାର୍କଆଉଟ୍ କଲା ବେଳେ ହଠାତ୍ ପୁନୀତ୍ ବେହୋସ ହୋଇ ପଡ଼ି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସ୍ଥିତ ବିକ୍ରମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣାପଡ଼ିଲା ଯେ ତାଙ୍କର ହୃଦ୍ଘାତ ହୋଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ତେବେ ସେମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲେ ପୁନୀତ ରାଜକୁମାର। ସେ ହେଉଛନ୍ତି କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ। ସେ ୨୯ଟି କନ୍ନଡ଼ ଫିଲ୍ମରେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ । ପୁନୀତ୍ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ କର୍ଣ୍ଣାଟକା ରାଜ୍ୟ ପୁରସ୍କାର ପାଇଥିଲେ । ୨୦୦୨ରେ ସେ ଆପ୍ପୁ ଫିଲ୍ମରେ ପ୍ରଥମ ଥର ହିରୋ ହୋଇଥିଲେ । ସେହିଦିନ ଠାରୁ ଫ୍ୟାନ୍ମାନେ ତାଙ୍କୁ ଆପ୍ପୁ ସମ୍ବୋଧିତ କରୁଥିଲେ । ଶେଷଥର ପାଇଁ ଚଳିତ ବର୍ଷ ତାଙ୍କୁ ‘ଯୁବରତ୍ନ’ ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ ।
