ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ
ପୁରୀ : ପବିତ୍ର ପଞ୍ଚୁକ ବ୍ରତ ଜାରି ରହିଛି । ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ତ୍ରିବିକ୍ରମ ବେଶ ବା ଆଡକିଆ ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନଙ୍କ ଦ୍ୱାରା ଏହି ବେଶ ସମ୍ପାଦନ ହୋଇଥାଏ ।
ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । ଭଉଣୀ ସୁଭଦ୍ରା ଏବଂ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଏ । ସେହିପରି ଏହି ବେଶରେ ଅନ୍ୟ ଅଳଙ୍କାର ମାନ ଯେପରିକି ଘାଗଡାମାଳି, ବରକୋଳି ମାଳି, ଗିନିମାଳି, ପଦ୍ମମାଳି, ପଦକମାଳି, ଶ୍ରୀପୟର, ଶ୍ରୀଭୂଜ, ହରିଡାମାଳି, ବାହାଡାମାଳି ସମେତ ହଳ, ମୂଷଳ, ଶଙ୍ଖ, ଚକ୍ର, ପାଟ ବସ୍ତ୍ର ଆଦି ଲାଗି ହୋଇଥାଏ ।
