ଆଜି ଭାରତୀୟ ନୌସେନାକୁ ମିଳିବ ଆଇଏନଏସ ବିଶାଖାପାଟଣା
ମୁମ୍ବାଇ : ଖାଲି ଆକାଶ କି ଭୂ-ଭାଗରେ ନୁହେଁ, ସମୁଦ୍ରରେ ବି ଶକ୍ତି ବଢ଼ାଇବାକୁ ଯାଉଛି ଭାରତ। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଯୁଦ୍ଧତରୀ ଆଇଏନଏସ ବିଶାଖାପାଟଣାକୁ ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାକୁ ଅର୍ପଣ କରିବାକୁ ଯାଉଛନ୍ତି। ନୌସେନା ଭାଇସ୍ ଆଡମିରାଲ ଏସ.ଏନ୍.ଘୋରମଡେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ଯୁଦ୍ଧ ଜାହାଜର ସେନସର କ୍ଷମତା ଅନନ୍ୟ। ଏହା ଶବ୍ଦରୁ ଜାଣିଦେବ ସମୁଦ୍ରରେ ଶତ୍ରୁପକ୍ଷ ଜାହାଜର ଉପସ୍ଥିତି ଓ ସେଠାରୁ ହେଉଥିବା ଗତିବିଧି।
ଆଇଏନଏସ ବିଶାଖାପାଟଣାର ଔପଚାରିକ କମିଶନିଂ ନଭେମ୍ବର ୨୧ ତାରିଖ ଦିନ ମୁମ୍ବାଇରେ ହେବ। ଏହି ବର୍ଗର ଆଗାମୀ ଯୁଦ୍ଧପୋତମାନଙ୍କର ନାମ ହେବ ମର୍ମାଗୋଆ, ଇମ୍ଫାଲ ଓ ସୁରଟ। ଦେଶର ଗୁରୁତ୍ୱପୂର୍ଣ୍ଣ ସହରମାନଙ୍କ ନାମରେ ଏହିବର୍ଗର ଯୁଦ୍ଧପୋତ ସବୁ ନାମିତ ହେବାକୁ ଥିବାବେଳେ ଦେଶର ସୁରକ୍ଷା ଲାଗି ଏଗୁଡିକ ବେଶ ଉପଯୋଗୀ ସାବ୍ୟସ୍ତ ହେବେ। ଏହି ଯୁଦ୍ଧତରୀରେ ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବିଧ୍ୱଂସକ ପ୍ରଣାଳୀ ଲାଗିଛି। ଯେଉଁଥିରୁ ବ୍ରହ୍ମୋସ ଓ ବରାକ ଭଳି କ୍ଷେପଣାସ୍ତ୍ର ମଧ୍ୟ ପ୍ରୟୋଗ ହୋଇପାରିବ। ଏହି ଯୁଦ୍ଧ ଜାହାଜ ଶତ୍ରୁକୁ ଦେଖିବାମାତ୍ରେ ଆଣ୍ଟି ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ମାଡ କରି ଧ୍ୱଂସ୍ତ କରିଦେବ। ଏଥିରୁ ଏହା କେତେ ଶକ୍ତିଶାଳୀ ତାହା କେବଳ ଅନୁମାନ କରାଯାଇପାରେ। ମଝଗାଓଁ ଡକ୍ ସିପବିଲ୍ଟର୍ସଙ୍କ ଦ୍ୱାରା ନିର୍ମିତ ଏହି ଯୁଦ୍ଧଜାହାଜ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଛି। ଏହି ଜାଜାହର ନିର୍ମିାଣ ଲାଗି ଭାରତ ସରକାର ଅକ୍ଟୋବର ୨୦୧୩ରେ ଅର୍ଡର ଦେଇଥିବା ବେଳେ ନିର୍ଦ୍ଧାରିତ ସମୟ ସୁଦ୍ଧା ଅର୍ଥାତ ଅକ୍ଟୋବର ୨୦୨୧ରେ ନୌସେନାକୁ ଅର୍ପଣ କରିଦିଆଯାଇଛି। v
