ଦେଶର ପ୍ରଥମ ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମଧ୍ୟ ପ୍ରଦେଶର ଭୋପାଳ ସହରରେ ଦେଶର ପ୍ରଥମ ତଥା ଅତ୍ୟାଧୁନିକ ବିଶ୍ବସ୍ତରୀୟ ରେଳ ଷ୍ଟେସନ୍ ‘ରାଣୀ କମଳାପତି ଷ୍ଟେସନ୍’ର ଉଦ୍ଘାଟନ କରିଛନ୍ତି। ପୂର୍ବରୁ ଏହା ହବିବଗଞ୍ଜ ଷ୍ଟେସନ ନାମରେ ପରିଚିତ ଥିବାବେଳେ ତାହାର ସମ୍ପୂର୍ଣ୍ଣ ନବୀକରଣ କରାଯାଇ ଷ୍ଟେସନରେ ଆନ୍ତର୍ଜାତିକ ବିମାନ ବନ୍ଦର ଅନରୂପ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ତେବେ ଗୋଣ୍ଡ ସାମ୍ରାଜ୍ୟର ରାଣୀ କମଳାପତିଙ୍କ ନାମ ଅନୁସାରେ ଏହି ଷ୍ଟେସନ୍ର ନୂଆ ନାମକରଣ ହୋଇଛି। ‘ଜନଜାତୀୟ ଗୌରବ ଦିବସ’ ଉପଲକ୍ଷେ ମୋଦୀ ଭୋପାଳ ଗସ୍ତରେ ଆସିବା ଅବସରରେ ଏହି ରେଳ ଷ୍ଟେସନ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଷ୍ଟେସନ୍ର ନାମକୁ ରାଣୀ କମଳାପତିଙ୍କ ନାମ ସହ ଯୋଡ଼ିବା ପରେ ଏହି ଷ୍ଟେସନ୍ର ଗୁରୁତ୍ବ ବହୁତ ବଢ଼ିଯାଇଛି। ଉକ୍ତ ରେଳ ଷ୍ଟେସନ୍ର ପୁନଃ ବିକାଶ ଦ୍ବାରା କେବଳ ଏହାର ଗୁରୁତ୍ବ ବଢ଼ିନାହିଁ ବରଂ ରେଳବାଇର ଗୌରବ ଗୋଣ୍ଡଙ୍କ ଗୌରବ ସହ ଯୋଡ଼ି ହୋଇଯାଇଛି। ଭାରତୀୟ ରେଳବାଇର ଭବିଷ୍ୟତ କେତେ ଉଜ୍ଜ୍ବଳ ତାହା ଏହି ରେଳ ଷ୍ଟେସନ୍ରୁ ଜଣାପଡ଼ୁଛି।
ଏହି ଷ୍ଟେସନରେ ବିଶାଳ ଆଚ୍ଛାଦିନ ପାର୍କିଂ ସ୍ଥଳ, ଚବିଶ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପାନୀୟ ଜଳ, ଶୀତତାପ ନିୟନ୍ତ୍ରଣ ବସିବା ବ୍ୟବସ୍ଥା, କାର୍ଯ୍ୟାଳୟ, ଦୋକାନ, ଯନ୍ତ୍ରଚାଳିତ ସିଡି, ଲିଫ୍ଟ, ଯାନବାହନ ଶୋ’ ରୁମ୍, ସମ୍ମିଳନୀ ସ୍ଥଳ, ହେଟେଲ ଏବଂ ସୁପର ସ୍ପେଶାଲିଟି ଡାକ୍ତରଖାନା ଆଦି ରହିଛି। ଏହା ଯାତ୍ରୀଙ୍କୁ ଏକ ବିମାନ ବନ୍ଦର ଭଳି ସମସ୍ତ ସ୍ୱାଚ୍ଛନ୍ଦ୍ୟ ଓ ସୁବିଧା ସୁଯୋଗ ପ୍ରଦାନ କରିବ। ଏହାର ନବୀକରଣରେ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ତିନିବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାକୁ ଏକ ସବୁଜ କୋଠା ଭାବରେ ଡିଜାଇନ କରାଯାଇଛି ଏବଂ ଭିନ୍ନକ୍ଷମମାନେ ଯେଭଳି ସହଜରେ ଏହି ଷ୍ଟେସନ ବ୍ୟବହାର କରିପାରିବେ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ମଧ୍ୟ ପ୍ରଦେଶରେ ଅନ୍ୟାନ୍ୟ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ। ‘ରାଣୀ କମଳାପତି ଷ୍ଟେସନ୍’ର ଉଦ୍ଘାଟନ ସମୟରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନନ ଉପସ୍ଥିତ ଥିଲେ।
