ଦାମୀ ଘଣ୍ଟାକୁ ନେଇ ଚର୍ଚ୍ଚା, ବିବୃତ୍ତି ଜାରି କଲେ ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ୱକପ ଶେଷ ହେବ ପରେ ଟୁର୍ନାମେଣ୍ଟରୁ ଆଉଟ୍ ହୋଇଥିବା ଟିମ୍ ଇଣ୍ଡିଆ ଘରକୁ ଫେରିଛି। ଦଳ ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରବିବାର ବିଳମ୍ବିତ ରାତିରେ ଘରକୁ ଫେରିଛନ୍ତି। କିନ୍ତୁ ଏହି ସମୟରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକାଇ ଦୁଇଟି ଦାମୀ ଘଣ୍ଟା ଜବତ କରିଥିଲେ। ତେବେ ଏହି ଘଣ୍ଚା ଜବତ ପ୍ରସଙ୍ଗକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିବୃତ୍ତି ଜାରି କରିଛନ୍ତି।
କଷ୍ଟମ୍ସ ବିଭାଗ ଦ୍ୱାରା ଦାମୀ ଘଣ୍ଟା ଜବତ ନେଇ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଙ୍ଗଳବାର ତାଙ୍କ ବିବୃତ୍ତି ଜାରି କରିଛନ୍ତି। ପାଣ୍ଡ୍ୟା ତାଙ୍କ ବିବୃତ୍ତିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରିଛନ୍ତି ଯେ, ଦୁବାଇରୁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ନିଜେ କଷ୍ଟମ ବିଭାଗକୁ ଯାଇ ତାଙ୍କ ଘଣ୍ଟା ହସ୍ତାନ୍ତର କରିଛନ୍ତି। ଦ୍ୱିତୀୟଟି, ଘଣ୍ଟାର ମୂଲ୍ୟ ପାଞ୍ଚ କୋଟି ଟଙ୍କା ନୁହେଁ ବରଂ ଦେଢ଼ କୋଟି ଟଙ୍କା ବୋଲି କହିଛନ୍ତି। ସୋମବାର ଖବର ଆସିଥିଲା ଯେ ହାର୍ଦ୍ଦିକ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ କଷ୍ଟମ ବିଭାଗ ତାଙ୍କଠାରୁ ପାଞ୍ଚ କୋଟିରୁ ଅଧିକ ମୂଲ୍ୟର ଦୁଇଟି ଘଣ୍ଟା ଜବତ କରିଛି। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ, ହାର୍ଦ୍ଦିକଙ୍କ ନିକଟରେ ସେହି ଘଣ୍ଟାର ଇନଭଏସ୍ ନାହିଁ କିମ୍ବା ସେ ଏହି ଲଗେଜ ବିଷୟରେ ଘୋଷଣା କରିନାହାଁନ୍ତି। ସୋମବାର ଏହି ଖବର ପ୍ରସାରଣ ପରେ ହାର୍ଦ୍ଦିକ ମଙ୍ଗଳବାର ସକାଳେ ଟ୍ୱିଟର ମାଧ୍ୟମରେ ନିଜର ବିବୃତ୍ତି ପ୍ରକାଶ କରିଛନ୍ତି।
ସେ ଲେଖିଛନ୍ତି, ‘ଯେତେବେଳେ ମୁଁ ନଭେମ୍ବର ୧୫ ସକାଳେ ଦୁବାଇରୁ ଫେରିଥିଲି, ମୋର ଲଗେଜ୍ ଉଠାଇବା ପରେ ମୁଁ ବ୍ୟକ୍ତିଗତ ଭାବେ କଷ୍ଟମ୍ସ କାଉଣ୍ଟରକୁ ଯାଇଥିଲି, ଯାହା ମୁଁ ସେଠାରୁ ଆଣିଥିଲି ଏବଂ ମୁଁ ତାହାର ଆବଶ୍ୟକ କଷ୍ଟମ୍ସ ଡ୍ୟୁଟି ଦେଇଥିଲି। ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରିତ ହେଉଛି। ମୁଁ ମୋ ସହିତ ଆଣିଥିବା ସମସ୍ତ ସାମଗ୍ରୀ ଘୋଷଣା କରିଥିଲି, ଯାହା ମୁଁ ଆଇନତଃ ଦୁବାଇରୁ କିଣିଥିଲି ଏବଂ ସେହି ସାମଗ୍ରୀ ଉପରେ ଆବଶ୍ୟକୀୟ ଶୁଳ୍କ ଲାଗୁ କରିବାକୁ ରାଜି ହୋଇଥିଲି।’ ଏହା ବ୍ୟତୀତ ପାଣ୍ତ୍ୟା ପୁଣି ଲେଖିଛନ୍ତି, ‘ମୁଁ ଆପଣଙ୍କୁ କହିବି ଯେ, କଷ୍ଟମ୍ସ ବିଭାଗ ମୋତେ ସାମଗ୍ରୀ ପାଇଁ ଡକ୍ୟୁମେଣ୍ଟ ମାଗିଥିଲା ଏବଂ ସେଗୁଡିକ ଦାଖଲ କରାଯାଇଥିଲା। କଷ୍ଟମ୍ସ ବିଭାଗ ଏହି ସାମଗ୍ରୀର ମୂଲ୍ୟାଙ୍କନ କରୁଛି ଏବଂ ମୁଁ ଏହା କହିସାରିଛି ଯେ ସେଠାରେ କୌଣସି ଶୁଳ୍କ ଅଛି ତେବେ, ମୁଁ ତାହା ଦେବି। ସୋସିଆଲ ମିଡିଆରେ ଦାବି କରାଯାଉଥିବା ଘଣ୍ଟାର ମୂଲ୍ୟ ୫ କୋଟି ଟଙ୍କା ନୁହେଁ ତାହା ପ୍ରାୟ ଦେଢ କୋଟି ଟଙ୍କା ହେବ।
