ପଞ୍ଚାୟତ ନିର୍ବାଚନ ନେଇ ନିର୍ଦ୍ଦେଶନାମା ଜାରି : ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟଗ୍ରହଣ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଚଳିତଥର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଓଡ଼ିଶା ଗ୍ରାମ ପଂଚାୟତ ନିର୍ବାଚନ ରୁଲସ୍, ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ, ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲସରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟଗ୍ରହଣ ଅବଧିକୁ ସକାଳ ୭ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସ୍ଥିରୀକୃତ କରିଛନ୍ତି। ପୂର୍ବରୁ ସକାଳ ୭ଟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେଉଥିଲା। ଚଳିତଥର ଆଉ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ଏହାସହିତ କମିଶନ ଚଳିତଥର ଭୋଟଗଣତି ବୁଥସ୍ତରରେ ନକରି ବ୍ଲକସ୍ତରରେ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବ୍ଲକସ୍ତରରେ ଭୋଟଗଣତି କ୍ରମାଗତ ୩ ଦିନ ଧରି ଚାଲିବ। ମତଦାନର ତାରିଖ ଆଧାରରେ ଭୋଟ ଗଣତି ତାରିଖ ସ୍ଥରୀକୃତ ହେବ ବୋଲି ଜଣାପଡ଼ିଛି।
ସେପଟେ ସମିତି ସଭ୍ୟ ଓ ସରପଞ୍ଚମାନେ ପ୍ରଚାରରେ ଉପଯୋଗ ହେବାକୁ ଥିବା ଗାଡ଼ିର ବିବରଣୀ ସରକାରଙ୍କୁ ଦେବେ। ଏହି ତଥ୍ୟର ୩ଟି ନକଲ ଦାଖଲ କରାଯିବ। ସେଥିରୁ ଗୋଟିଏ ନକଲ ଉପଜିଲ୍ଲାପାଳ/ବିଡ଼ିଓ, ଦ୍ୱିତୀୟଟି ଆରଟିଓ ଅଫିସ୍ ଓ ଅନ୍ୟଟି ନିଜ ପାଖରେ ପ୍ରାର୍ଥୀ ରଖିବେ। ତୃତୀୟ ନକଲଟିରେ ଉପଜିଲ୍ଲାପାଳ କିମ୍ବା ବିଡ଼ିଓ ନିଜର ଅଫିସ୍ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇବେ। କୌଣସି ସମୟରେ ନିର୍ବାଚନ ଅଧିକାରୀ ଅବା ତାଙ୍କ ଦ୍ୱାରା କ୍ଷମତାସମ୍ପନ୍ନ ଅଧିକାରୀ ଚାହିଁଲେ ଏହି ତଥ୍ୟକୁ ତଦାରଖ କରିପାରିବେ। ଏହି ମୋଟର ଯାନ ସଂକ୍ରାନ୍ତ ସମସ୍ତ ଖର୍ଚ୍ଚ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ମଧ୍ୟରେ ସୀମିତ ରହିବ। ପ୍ରଚାର କାର୍ଯ୍ୟରେ ବ୍ୟବହୃତ ଗାଡ଼ିକୁ ପ୍ରାର୍ଥୀ ଭୋଟ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବେ। ଯଦି ଏହି ନିର୍ଦ୍ଦେଶନାମାକୁ କେହି ଅବମାନନା କରନ୍ତି, ତାହାହେଲେ ତାଙ୍କୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ଭାବେ ବିବେଚନା କରାଯିବ ବୋଲି କମିଶନ କହିଛନ୍ତି।
