କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମ୍ସିର କଟକଣା : ଜଳାଶୟରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ
ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରଦ୍ଧାଳୁମାନେ ଭୋର ସକାଳୁ ଜଳାଶୟରେ ଆସ୍ଥା ଓ ଭରସାର ସ୍ନାନ କରୁଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିମାନେ ପ୍ରତିଦିନ ଭୋର ସକାଳୁ ଶୁଦ୍ଧ ସ୍ନାନ କରୁଛନ୍ତି । ଏହାରି ମଧ୍ୟରେ ପବିତ୍ର ବଡ଼ ଏକାଦଶୀ ମଧ୍ୟରେ ପଞ୍ଚୁକ ଆରମ୍ଭ ହୋଇଯାଇଛି । ତେବେ ପଞ୍ଚୁକର ସ୍ୱତନ୍ତ୍ର ଦିନ ପୂର୍ଣ୍ଣିମା ଓ ବଡ଼ଓଷା ଦିନରେ ଏକାମ୍ର କ୍ଷେତ୍ରରେ ଥିବା ବିନ୍ଦୁ ସାଗରରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇପାରିବେ ନାହିଁ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡ଼୍ଲାଇନ୍ ଜାରି କରାଯାଇଛି ।
କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ବିଏମ୍ସି ତରଫରୁ ନଭେମ୍ବର ୧୯ ତାରିଖ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ବିଏମ୍ସି ଅଧିନରେ ଥିବା ସମସ୍ତ ଜଳାଶୟ ଉପରେ କଟକଣା ଲାଗୁ କରାଯାଇଛି । ଫଳରେ ଶ୍ରଦ୍ଧାଳୁମାନେ ବିନ୍ଦୁସାଗର ସମେତ ଭୁବନେଶ୍ୱର ପରିସର ମଧ୍ୟରେ ଅନ୍ୟ ଜଳାଶୟ (ନଦୀ ଓ ପୋଖରୀ)ରେ ବୁଡ଼ ପାକାଇପାରିବେ ନାହିଁ । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାବେଳେ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଭାବେ କମି ନାହିଁ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍ସି ପଦକ୍ଷେପ ନେଇଛି ।
