ଆଜି ପୂର୍ବାଂଚଳ ଏକ୍ସପ୍ରେସ ୱେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
- ସୁଲତାନପୁର ଜିଲାରେ ନିର୍ମିତ ୩.୨ କିମି ଏକ୍ସପ୍ରେସ ୱେ ଏୟାର ଷ୍ଟ୍ରିପରେ ପ୍ରଧାନମନ୍ତ୍ରୀ ନିରୀକ୍ଷଣ କରିବେ ଏୟାର ସୋ’
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶ ଗସ୍ତ କରିବେ । ହରକ୍ୟୁଲେସ ବିମାନରେ ଆସି ସୁଲତାନପୁର ଏକ୍ସପ୍ରେସ ୱେରେ ଓହ୍ଲାଇବେ। ସୁଲତାନପୁର ଜିଲାର କରୱାଲ ଖେରୀଠାରେ ଦିନ ସାଢ଼େ ଗୋଟାଏ ବେଳେ ପୂର୍ବାଂଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ । ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ୱେରେ ନିର୍ମିତ ୩.୨ କିଲୋମିଟ ଦୀର୍ଘ ଏୟାର ଷ୍ଟ୍ରୀପରେ ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ଏୟାର ସୋ ମଧ୍ୟ ନିରୀକ୍ଷଣ କରିବେ । କୌଣସି ଆପତକାଳୀନ ଆବଶ୍ୟକତାକୁ ନେଇ ସୁଲତାନପୁର ଜିଲ୍ଲାର ଏହି ଏକ୍ସପ୍ରେସ ୱେରେ ବାୟୁସେନା ଲଢ଼ୁଆ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଛି ।
୩୪୧ କିଲୋମିଟର ଦୀର୍ଘ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଲକ୍ଷ୍ନୌ ଜିଲ୍ଲାର ଲକ୍ଷ୍ନୌ ନିକଟବର୍ତୀ ଚଉଦସରାଇଠାରୁ ଆରମ୍ଭ ହୋଇ ଏନଏଚ-୭୩୧ ଲକ୍ଷ୍ନୌ-ସୁଲତାନପୁର ରୋଡ ଭାବେ ୟୁପି-ବିହାର ସୀମାର ୧୮ କିଲୋମିଟର ଦୂର ଜାତୀୟ ରାଜପଥ ୩୧ ହାଇଦରିଆଠାରେ ଶେଷ ହୋଇଛି । ଛଅ ଲେନ ପ୍ରସ୍ଥ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ଭବିଷ୍ୟତରେ ଆବଶ୍ୟକତା ଦୃଷ୍ଟିରୁ ଆଠ ଲେନ ବିଶିଷ୍ଟ ମଧ୍ୟ ହୋଇପାରିବ । ୨୨୫୦୦ କୋଟି ଟଙ୍କାରେ ନିର୍ମିତ ଏହି ପୂର୍ବାଂଚଳ ଏକ୍ସପ୍ରେସ ୱେ ଉତର ପ୍ରଦେଶର ପୂର୍ବଭାଗର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ । ଏହି ଭାଗରେ ଲକ୍ଷ୍ନୌ, ବାରାବାଙ୍କୀ, ଆମେଥି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଅଜମଗଡ, ମାଉ ଓ ଗାଜିପୁର ଜିଲାମାନ ରହିଛି । ଭାରତୀୟ ବାୟୁସେନାର ମିରାଜ ୨୦୦୦ ଓ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ସେଠାରେ ଉଡ଼ାଣ ଓ ଅବତରଣ କରିପାରିବ ବୋଲି ମଧ୍ୟ ଜଣାପଡ଼ିଛି।
