ଝାରସୁଗୁଡ଼ାରେ ବିଏସକେୱାଇ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ଝାରସୁଗୁଡା ଜିଲାର ୧ ଲକ୍ଷ ୧୫ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା
- ୨୦୦୦ ହୀରାକୁଦ ବିସ୍ଥାପିତଙ୍କୁ ଘରଡିହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
- ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ । ଜିଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଝାରସୁଗୁଡା ସହିତ ରାଜ୍ୟର ୧୨ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡାର ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହାଦ୍ୱାରା ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ ।
ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତିପ୍ରସ୍ତର ରଖାଯାଇଥିଲା । ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି ୱାଟର ଟ୍ରିଟ୍ମେଂଟ ପ୍ଲାଂଟର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ । ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ ଜୁନ୍ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ । ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଂଚଳକୁ ଜଳସେଚନ ର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଝାରସୁଗୁଡାରେ ନିର୍ମାଣଧୀନ ୧୦୦ ଶଯ୍ୟା ବିଶିଷ୍ଟ ହୃଦରୋଗ ଚିକିତ୍ସାଳୟର ନିର୍ମାଣ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହାଦ୍ୱାରା ଲୋକମାନେ ଉନ୍ନତମାନର ଚିକିତ୍ସା ମିଳିପାରିବ ବୋଲି ସେ କହିଥିଲେ । ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ସ୍ମାର୍ଟ ହେଲ୍ଥ କାର୍ଡ ପାଇବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମହାନ୍ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ତାଙ୍କର ଆଦର୍ଶ, ସଂଗ୍ରାମ ଓ ଦେଶପ୍ରେମ ଯୁଗ ଯୁଗ ଧରି ଆମକୁ ପ୍ରେରଣା ଦେଉଥିବ । ସ୍ୱାଧୀନତା ସଂଗ୍ରାମୀ ବିହାରୀ ରାମ ତନ୍ତୀ, ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଚିନ୍ତାମଣି ପୂଜାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ ସାଂସଦ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଝାରସୁଗୁଡା ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ । ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ରାଜ୍ୟର ବିକାଶକୁ ଏକ ନୂଆ ସ୍ତରକୁ ଆଣିବା ସହିତ ଗରିବ ଲୋକଙ୍କ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହା ସମଗ୍ର ଦେଶରେ ବିରଳ ।
