ଆଇଏସ୍ଏଲ୍-୨୦୨୧-୨୨ : ଦଳ ମାଲିକ ଓ କ୍ଲବ ନେଟ ମୂଲ୍ୟର ତାଲିକା
ନୂଆଦିଲ୍ଲୀ : ପ୍ରତ୍ୟେକ ଫୁଟବଲ୍ ଦଳର ମୂଲ୍ୟ ପ୍ରାୟୋଜକ, ଖେଳାଳିଙ୍କ ପ୍ରଦର୍ଶନ ଏବଂ ଅର୍ଥନୈତିକ କ୍ଷମତା ଉପରେ ନିର୍ଭର କରିଥାଏ । ଇଣ୍ଡିଆନ୍ ସୁପର ଲିଗ୍ ବିଗତ କିଛିବର୍ଷ ଧରି ଫିଫା ୨୨ ଭିଡ଼ିଓଗେମରେ ଆନ୍ତର୍ଜାତିକ ବଜାରରେ ଅଧିକ ମାନ୍ୟତା ପାଇଛି । ଦଳଗୁଡ଼ିକର ବଜାର ଦର, ଦଳରେ ପାଣ୍ଠି ପ୍ରଦାନ କରୁଥିବା କମ୍ପାନୀ ଗୁଡ଼ିକର ଅଂଶୀଦାରକୁ ଆଧାର କରି ଦଳ ଗୁଡ଼ିକର ଲୋକପ୍ରିୟତା ବଢ଼ିଥାଏ ।
ଓଡ଼ିଶା ଏଫ୍ସି (୫.୭ ମିଲିୟନ୍ ଡଲାର) :
ଓଡ଼ିଶା ଏଫ୍ସି ଦଳ ସହ ଦିଲ୍ଲୀ ଡାଇନାମୋସ୍ ଦଳ ବିଲୀନ ହୋଇଯାଇଛି । ଜିଏମ୍ଏସ୍ କମ୍ପାନୀ ଏହି ଦଳକୁ ବିପୁଳ ଅର୍ଥ ବିନିମୟରେ କ୍ରୟ କରିଛି । କ୍ଲବର ମାଲିକାନା ୨୦୧୬ ମସିହାରୁ ଜିଏମ୍ଏସ୍ କମ୍ପାନୀ ହାତକୁ ଆସିଛି । ଏହାପରେ ଷ୍ଟକ୍ ମାର୍କେଟ୍ରେ ଏହାର ଅଭିବୃଦ୍ଧି ଘଟିଛି । ରିଲାୟନ୍ସ ଫାଉଣ୍ଡେସନ୍, ଓଡ଼ିଶା ଟୁରିଜିମ୍ ସହ ୱାଟ୍ ଫର୍ଡ଼ ଏଫ୍ସି ୩ବର୍ଷ ପାଇଁ ଏହି ଦଳରେ ଅଂଶଧନ ଲଗାଇଛନ୍ତି ।
ଏଟିକେ ମୋହନ୍ ବାଗାନ୍ ଏଫ୍ସି (୫.୩୪ ମିଲିୟନ୍ ଡଲାର) :
ବିବାଦୀୟ ଆଥଲେଟିକୋ କୋଲକାତା ଏବଂ ମୋହନ ବାଗାନ୍ ଦଳ ମଧ୍ୟରେ ବିଲୀନ ହୋଇଥିଲା । ମୋହନ୍ ବାଗାନ୍ ଦଳ ୨୦୨୦ ମସିହାରେ ନିଜର ଅନ୍ୟତମ ପ୍ରତିଦ୍ୱନ୍ଦୀ ଆଥଲେଟିକୋ କୋଲକାତାକୁ ନିଜ ଦଳରେ ସାମିଲ୍ କରିଥିଲା । ଉଭୟ କ୍ଲବର ମିଶ୍ରଣ ପରେ ଏହାର ବ୍ରାଣ୍ଡ ଭାଲ୍ୟୁ ବୃଦ୍ଧି ପାଇବା ସହ ଏହାର ପରିଚୟ ମଧ୍ୟ ବଢ଼ିଛି । ଆର୍ପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ଏହି ଦଳର ମାଲିକ ହୋଇଥିବା ବେଳେ ସୌରଭ ଗାଙ୍ଗୁଲି ଓ ଉତ୍ସବ ପାରିକ ୨୦% ଅଂଶଧନ ଖଟାଇଛନ୍ତି । ଅନ୍ୟାନ୍ୟ କମ୍ପାନୀ ଯଥା ନିଭିୟା, ଟିଭି ୯, ବାଙ୍ଗଲା, ଏମ୍ପି ବିର୍ଲା ସିମେଣ୍ଟ ଓ ଅନ୍ୟ କେତେକ କମ୍ପାନୀ ମଧ୍ୟ ପ୍ରାୟୋଜକ ରହିଛନ୍ତି ।
ବେଙ୍ଗାଲୁରୁ ଏଫ୍ସି (୫.୩୪ ମିଲିୟନ୍ ଡଲାର) :
ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଏହି ଦଳର ମୁଖ୍ୟ ମାଲିକ ହୋଇଥିବା ବେଳେ ଏହି ଦଳର ଖେଳାଳିଙ୍କୁ ସର୍ବାଧିକ ମାସିକ ଦରମା ଦିଆଯାଉଛି । ବେଙ୍ଗାଲୁରୁ ଏଫ୍ସି ଆଇଏସ୍ଏଲ୍ ଏବଂ ଅନ୍ୟ ୩ଟି ପ୍ରମୁଖ ଫୁଟବଲ୍ ପ୍ରତିଯୋଗୀତାରେ ବିଗତ ୪ ବର୍ଷ ଧରି ଅଂଶଗ୍ରହଣ କରିଆସୁଛି । ପୁମା କମ୍ପାନୀ ଏହି ଖେଲାଳୀମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଖେଳ ସାମଗ୍ରୀ ପ୍ରଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ବିଗତ ୫ବର୍ଷ ହେବ ନଗଦ ଅର୍ଥ ଦେଇଆସୁଛି । ଏହାବ୍ୟତୀତ ନିସିନ, ଜେଏସ୍ଡବ୍ଲ୍ୟୁ ଓ କିଙ୍ଗ୍ଫିସର କମ୍ପାନୀ ଆର୍ଥିକ ସହାୟତା ଦେଉଛନ୍ତି ।
ମୁମ୍ବାଇ ସିଟି (୫.୩୧ ମିଲିୟନ ଡଲାର) :
ଭାରତର ଅନ୍ୟତମ ଶ୍ରେଷ୍ଠ କ୍ଲବ ଭାବେ ପରିଚିତ ଏହି ଦଳରେ ରଣବୀର କପୁର, ଏଥେଡ ଗ୍ରୁପ୍, ବିମଲ ପାରିକ ଏବଂ ସିଟି ଗ୍ରୁପ୍ ଭଳି ବଡ଼ ବଡ଼ କମ୍ପାନୀ ଓ ବ୍ୟକ୍ତି ଅର୍ଥ ବିନିଯୋଗ କରିଛନ୍ତି । ରଣବୀର କପୁର ୨୦୧୪ ମସିହାରେ ଏହି ଫୁଟବଲ୍ ଟିମ୍ରେ ଅର୍ଥ ବିନିଯୋଗ କରିଥିଲେ । ସିଟି ଗ୍ରୁପ୍ ୨୦୧୯ରେ ୬୫% ଅର୍ଥ ବିନିଯୋଗ କରିଥିଲା।
କେରଳ ବ୍ଲାଷ୍ଟର୍ସ (୫.୩୧ ମିଲିୟନ ଡଲାର) :
ଏହି କ୍ଲବରେ ବହୁ ଧନିକ ଶ୍ରେଣୀର କମ୍ପାନୀଗୁଡ଼ିକ ଅର୍ଥ ବିନିଯୋଗ କରିଛନ୍ତି । ପିଭିପି ଗ୍ରୁପ୍ ୩୦କୋଟି ଟଙ୍କା ୨୦୧୫ ମସିହାରେ କ୍ଲବରେ ବିନିଯୋଗ କରିଥିବା ବେଳେ ସଚ୍ଚିନ ତେନ୍ଦୁଲକର ଏହି କମ୍ପାନୀର ମୁଖ୍ୟ ମାଲିକ କୁହାଯାଇପାରେ । ମୁଥୁଟ୍ ଗ୍ରୁପ୍ ଟିମ୍ର ୪୦% ଅଂଶଧନ କ୍ରୟ କରିଛି । ଅଭିନେତା ଚିରଞ୍ଜିବି, ଆଲ୍ଲୁ ଅରବିନ୍ଦ, ନାଗାର୍ଜୁନ ଏବଂ ବ୍ୟବସାୟୀ ନିମଗଡ୍ଡା ପ୍ରସାଦ ମିଳିତ ଭାବେ ୨୦୧୬ ମସିହାରେ କ୍ଲବର ୮୦% ମାଲିକାନା କ୍ରୟ କରିଥିଲେ । ତେବେ ତେନ୍ଦୁଲକର ୨୦% ଅଂଶଧନ ବିନିଯୋଗ କରିଛନ୍ତି ।
ଜାମସେଦପୁର (୪.୫୧ ମିଲିୟନ ଡଲାର) :
୨୦୧୭ ମସିହାରେ ଆୟୋଜିତ ଟେଣ୍ଡରରେ ଟାଟା ଗ୍ରୁପ୍ ଏହି ଦଳର ମୁଖ୍ୟ ଅଂଶଧନ କ୍ରୟ କରିଥିଲା । ଆଇଏସ୍ଏଲ୍ ମ୍ୟାଚ୍ରେ ଏହି ଟିମ୍ର ପ୍ରଦର୍ଶନ ସେତେଟା ଭଲ ନଥିଲେ ମଧ୍ୟ ଟାଟା ଗ୍ରୁପ୍ ଏଥିପାଇଁ ଅର୍ଥନୈତିକ ସହାୟତା ଦେଇଆସୁଛି ।
ଏସ୍ସି ଇଷ୍ଟ ବେଙ୍ଗଲ (୪.୫୧ ମିଲିୟନ ଡଲାର) :
ସିମେଣ୍ଟ ଶିଳ୍ପରେ ସର୍ବାଧିକ ବ୍ୟବସାୟ କରୁଥିବା ଶ୍ରୀ ସିମେଣ୍ଟଏହି କ୍ଲବର ୭୬% ଅଂଶଧନ ୨୦୨୦ ମସିହାରେ କ୍ରୟ କରିଥିଲା । ଏହି କ୍ଲବ ଆଇଏସ୍ଏଲ୍ରେ ଖେଳିଥିବା ଆଇ ଲିଗ୍କୁ ମଧ୍ୟ କିଣିଥିଲା । ରେଡ୍ ଏଫ୍ଏମ୍, ଟିଭି୯ ବଙ୍ଗଲା, ବିକେଟି ଟାୟାର୍ସ, ୱାସବି ଓରିଏଣ୍ଟାଲ, କୁଜିନ୍ ଏବଂ ଟପ୍ ଟେକ୍ ଟିଏମ୍ଟି ମଧ୍ୟ ଏହି ଦଳରେ ଅର୍ଥ ବିନିଯୋଗ କରିଛନ୍ତି ।
ହାଇଦ୍ରାବାଦ ଏଫ୍ସି (୪.୩୨ ମିଲିୟନ ଡଲାର) :
ବିଜୟ ମାଧୁରୀ ରାଣା ଦୁଗୁବତି, ସନରାଇଜର୍ସ ହାଇଦ୍ରାବାଦ ଏବଂ ବରୁଣ ତ୍ରିପୁରାନେନୀ ଏହି ଟିମ୍ର ମାଲିକ ଅଟନ୍ତି । ଆର୍ଥିକ କ୍ଷେତ୍ରରେ ଏହି ଦଳ ଅଧିକ ସବଳ ଅଟେ । ଦଳକୁ ରେୟୁଆର୍ ସ୍ପୋର୍ଟସ ସମସ୍ତ ଖେଳ ସାମଗ୍ରୀ ଓ ଜର୍ସି ଯୋଗାଇ ଆସୁଛି । ଟି-୧୦ ସ୍ପୋର୍ଟସ, ହୋମେଲ ଟିମ୍ ମଧ୍ୟ ଜର୍ସି ଓ ଖେଳ ସାମଗ୍ରୀ ଯୋଗାଇ ଦେଉଛି । ଏହି ଦଳ ଆନ୍ତର୍ଜାତିକ ମାନ୍ୟତା ପାଇବା ସହ ବରୁସିଆ ଡଟ୍ମଣ୍ଡ ଏବଂ ମାର୍ବେଲା ଏଫ୍ସି ଦଳ ସହ ଖେଳିବା ପାଇଁ ୨୦୧୯ରେ ଚୁକ୍ତିବଦ୍ଧ ହୋଇଥିଲା ।
ଚେନ୍ନାୟାନ୍ ଏଫ୍ସି (୪.୨୪ ମିଲିୟନ ଡଲାର) :
ଭିଟାଦାନି, ଏମ୍ଏସ୍ ଧୋନି, ଅଭିଷେକ ବଚ୍ଚନ ଏବଂ ମାଡ୍ରାସ୍ କନ୍ସୋର୍ଟିୟମ୍ ୨୦୧୪ ମସିହାରେ ଏହି ଦଳକୁ ଆର୍ଥିକ ଦୂରାବସ୍ଥାରୁ ଉଦ୍ଧାର କରି କ୍ରୟ କରିଥିଲେ । ସେବେଠାରୁ ଚେନ୍ନାୟାନ୍ ଦଳ ଆଇଏସ୍ଏଲ୍ ଟୁର୍ଣ୍ଣାମେଣ୍ଟରେ ଦୁଇଥର ଚମ୍ପିୟାନ ଟ୍ରଫି ହାସଲ କରିବାରେ ସକ୍ଷମ ହୋଇଛି । ଏହି ଟିମ୍ ପାଇଁ ନିଭିୟା, ଡାଫାନ୍ୟୁଜ୍ ଏବଂ ପେଟିଏମ୍, ଫାଷ୍ଟ ଗେମ୍ସ କମ୍ପାନୀ ଅର୍ଥ ବିନିଯୋଗ କରିଛନ୍ତି ।
ଏଫ୍ସି ଗୋଆ (୪.୨୪ ମିଲିୟନ ଡଲାର) :
ଗୋଆ ଫୁଟବଲ୍ କ୍ଲବ ପ୍ରାଇଭେଟ୍ ଲିମିଟେଡ୍ ୨୦୧୬ ପର୍ଯ୍ୟନ୍ତ ଏହି ଦଳର ମାଲିକାନା ନିଜ ହାତରେ ରଖିଥିଲେ । ତେବେ ବିରାଟ କୋହଲି, ବେଣୁଗୋପାଲ ଧୂତ ଏବଂ ଜୟଦେବ ମୋଦି ୨୦୧୬ରେ ଏହି କ୍ଲବର ଅଂଶଧନ ଯଥାକ୍ରମେ ୧୨%, ୨୩% ଓ ୬୫% କ୍ରୟ କରିଥିଲେ । ଏଫ୍ସି ଗୋଆ ଦଳର ଖେଳାଳୀମାନେ ଉନ୍ନତ ପ୍ରଦର୍ଶନ କରୁଥିବାରୁ ଜିଓମି, କିଙ୍ଗ୍ଫିସର ଏବଂ ଆଡିଡାସ ଭଳି ବଡ଼ ବଡ଼ କମ୍ପାନୀ ବିଗତ ୭ବର୍ଷ ଧରି ଏହି ଦଳକୁ କିଟ୍ ଓ ଜର୍ସି ପ୍ରଦାନ କରିଆସୁଛନ୍ତି ।
ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସି (୩.୯୩ ମିଲିୟନ ଡଲାର) :
ଜନ୍ ଆବ୍ରାହମ୍, ଜୟା ବାଲାନ୍ ଏବଂ ଜର୍ଜ ଜନ୍ ୨୦୧୪ ମସିହାରେ ମିଳିତ ଭାବେ ଏହି ଦଳକୁ କ୍ରୟ କରିଥିଲେ । ଦଳକୁ ଆଡିଡାସ୍, ମ୍ୟାକ୍ ଡୁଏଲ୍, ଏୟାର ଏସିଆ ଏବଂ ଗାର୍ଣ୍ଣିଓର ଭଳି ବଡ଼ ବଡ଼ କମ୍ପାନୀ ମଧ୍ୟ ଆର୍ଥିକ ସହାୟତା ଦେଇଆସୁଛନ୍ତି । ଖେଳାଳୀମାନଙ୍କ ଉତ୍ତମ ପ୍ରଦର୍ଶନ ଓ ଶୃଙ୍ଖଳିତ ଆଚରଣ ଯୋଗୁଁ ଦଳ ପ୍ରତି କମ୍ପାନୀଗୁଡ଼ିକର ଆଗ୍ରହ ବଢୁଛି । ତେବେ ଖେଳ ପ୍ରଦର୍ଶନ କିଛିଟା ଅବନତି ପରିଲକ୍ଷିତ ହେଉଥିବାରୁ ସେମାନଙ୍କ ପ୍ରଦର୍ଶନ ଭଲ କରିବା ପାଇଁ କୋଚ୍ମାନଙ୍କୁ ପରାମର୍ଶ ଦିଆଯାଇଛି ।
