ସିବିଆଇ ଓ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି : ୨ ବର୍ଷ ବଦଳରେ ୫ ବର୍ଷ କରିବେ କାର୍ଯ୍ୟ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର । ଦୁଇ ବର୍ଷ ପର୍ଯ୍ୟନ୍ତ ଇଡି ଏବଂ ସିବିଆଇର ମୁଖ୍ୟମାନଙ୍କୁ ନିଯୁକ୍ତ କରାଯାଉଥିଲା। ଏଣିକି ୨ ବର୍ଷ ବଦଳରେ ଏହି କେନ୍ଦ୍ରୀୟ ଏଜେନ୍ସିର ମୁଖ୍ୟମାନେ ୫ ବର୍ଷ ଯାଏ କାର୍ଯ୍ୟ କରିବେ। ଏନେଇ ଆଜି କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି। ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ୨୦୨୧ ନାମକ ଏହି ନିୟମକୁ କେନ୍ଦ୍ର ସରକାର ଆଣିଛନ୍ତି। ଏହି ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି ।
ଏହାକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ଆଇନ ପ୍ରଣୟନ କରିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଅନୁସନ୍ଧାନକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଦୁଇ ବର୍ଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧରି ନିଯୁକ୍ତ କରାଯାଇଥାଏ । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କୁ ହଟାଇ ଦିଆଯାଇପାରିବନାହିଁ । ସରକାର ଚାହିଁଲେ ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢାଇପାରିବେ । ସୂଚନା ଥାଉ କି ଯେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇର ନିର୍ଦ୍ଦେଶକ ଭାବେ ୧୯୮୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସୁବୋଧ କୁମାର ଜୈସୱାଲ ଥିବାବେଳେ ମେ ୨୦୨୧ ରେ ଦୁଇ ବର୍ଷ ପାଇଁ ସେ ନିଯୁକ୍ତ ହୋଇଥିଲେ। ସେହିପରି ଆଇଆରଏସ ଅଧିକାରୀ ସଞ୍ଜୟ କୁମାର ମିଶ୍ର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ଅଛନ୍ତି । ନଭେମ୍ବର ୨୦୧୮ରେ ଏହି ପଦବୀରେ ତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା । ନଭେମ୍ବର ୨୦୨୦ରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କରାଯାଇଥିଲା । ସୂଚନା ଯେ, ୧୯୯୭ ମସିହା ପୂର୍ବରୁ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅବଧିରେ କୌଣସି ସ୍ଥିରତା ନଥିଲା ଏବଂ ସରକାର ଯେକୌଣସି ସମୟରେ ତାଙ୍କୁ ହଟାଇ ପାରୁଥିଲେ । ତେବେ ସୁପ୍ରିମକୋର୍ଟ ଅଧିକାରୀଙ୍କୁ ମୁକ୍ତ ଭାବରେ କାର୍ଯ୍ୟ କରିବାକୁ ସିବିଆଇ ନିର୍ଦ୍ଦେଶକଙ୍କ ପାଇଁ ସର୍ବନିମ୍ନ ଦୁଇ ବର୍ଷ କାର୍ଯ୍ୟକାଳ ସ୍ଥିର କରିଛନ୍ତି।
