ଆଜି ଠାରୁ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି, ସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି। ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଅବସରରେ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସହ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ। ପଞ୍ଚୁକ ପ୍ରଥମ ଦିନ ଅର୍ଥାତ ସୋମବାର ହରି ଉତ୍ଥାପନ ଏକାଦଶୀ ସହ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ମଙ୍ଗଳବାର ବାଙ୍କଚୁଡ ବେଶ, ବୁଧବାର ତ୍ରିବିକ୍ରମ ବେଶ, ଗୁରୁବାର ଲକ୍ଷ୍ମୀନୃସିଂହ ବେଶ ସହ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ପବିତ୍ର ପଞ୍ଚୁକ ଅବସରରେ ଅତି ନିଷ୍ଠାର ସହ ଏହି ବ୍ରତ ଯେଉଁ ମାନେ ପାଳନ କରିଥାନ୍ତି ସେମାନଙ୍କୁ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ପଞ୍ଚୁକ ନୀତି। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି ଧରାଯାଉଥିବାରୁ ପୁରୀରେ ଏହି ପଞ୍ଚୁକ ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ ଭକ୍ତଙ୍କ ଭିଡ଼ ଜମିବ। ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିର ଭିତର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମୁଦାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସେହିପରି ସମୁଦ୍ର କୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଙ୍ଗ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯେଉଁ ଭକ୍ତ ଓ ପର୍ଯ୍ୟଟକ ମାନେ ପୁରୀ ଆସିବେ ସେମାନେ ମାର୍କେଟ ଛକ ପାଖ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ସମୁଦ୍ର କୂଳ ଅଞ୍ଚଳର ଦିଗବାରେଣି ସହ ଲାଇଟ ହାଉସ ପାଖ ଯାତ୍ରିକା ଠାରେ ଗାଡି ପାର୍କିଂ କରିବା ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି।
ସୂଚନା ଯେ, ଚଳିତ ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବା ନେଇ କୋହେନୂର ପଞ୍ଜିକାରେ ଉଲ୍ଲେଖ ରହିଥିବା ବେଳେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବାଦ ବିବାଦ। ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁନାହିଁ ବୋଲି ପୂର୍ବରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲେ ମଧ୍ୟ କୋହେନୂର କ୍ୟାଲେଣ୍ଡରରେ କିଭଳି ଭୁଲ ତଥ୍ୟ ଦିଆଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ଶ୍ରୀମନ୍ଦିର ପଞ୍ଜିକାରେ ନାଗାର୍ଜୁନ ବେଶ ପଡୁନଥିବା ଉଲ୍ଲେଖ ରହିଛି। ଏହାକୁ ନେଇ ଭକ୍ତ ଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି।
