ଲଘୁଚାପ ପ୍ରଭାବରେ ୧୯ ଯାଏଁ ବର୍ଷା!
ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ଗତକାଲି ଦକ୍ଷିଣ ଆଣ୍ଡାମାନ ତତ୍ ସଲଗ୍ନ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଆଜି ସାମାନ୍ୟ ପଶ୍ଚିମ-ଉତର ଓ ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି । ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିଲୋମିଟର୍ ପର୍ଯ୍ୟନ୍ତ ବ୍ୟାପିଛି । ଆଗାମୀ ୨୪ ଘଂଟାରେ ଏହା ପଶ୍ଚିମ-ଉତର ଓ ପଶ୍ଚିମ ଦିଗରେ ଗତି କରିବ ଏବଂ ଉତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ଆଣ୍ଡାମାନ ସାଗର ପହଂଚିଲା ବେଳକୁ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ୧୭ ତାରିଖ ବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅତିକ୍ରମ କରି ଯେତେବେଳେ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ପହଂଚିବ, ସେତେବେଳେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ପରେ ୧୮ ତାରିଖରେ ଏହା ଆନ୍ଧ୍ର ଉପକୂଳରେ ପହଂଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ତମାନ ଉତର ଓଡ଼ିଶାର କିଛି ଜିଲ୍ଲାର ଅନେକ ସ୍ଥାନରେ ହାଲୁକାର ସ୍ୱଳ୍ପରୁ ଧରଣର ବର୍ଷା ହେଉଛି ।
ସମ୍ଭାବ୍ୟ ଅବପାତ ପ୍ରଭାବରେ ଉପକୂଳବର୍ତୀ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୮ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୫ ଜିଲ୍ଲାଗୁଡ଼ିକ ହେଲେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ।୧୬ରୁ ୧୮ ତାରିଖ ଯାଏ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୪୫ରୁ ୫୫ କିମି ରହିବ । ସେହିପରି ୧୭ ତାରିଖ ପରଠାରୁ ଉପକୂଳବର୍ତୀ ଅଂଚଳରେ ପବନର ବେଗ ୪୫ରୁ ୫୫ କିମି ରହିବ । ତେଣୁ ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଥିବା ଶ୍ରୀ ଦାସ କହିଛନ୍ତି । ନଭେମ୍ବର ୧୫ରୁ ୧୬ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ହାଲକା ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ରହିଛି । ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
