ପୁଣି ଫଶିଲେ ଶିଳ୍ପା-ରାଜ୍ : ୧.୫୧ କୋଟି ଟଙ୍କାର ଠକେଇ ମାମଲା ରୁଜୁ
ମୁମ୍ବାଇ : ପୁଣି ଫଶିଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ପିଛା ଛାଡ଼ୁନି ସମସ୍ୟା। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲା ପରେ ଏବେ ଠକେଇ ମାମଲାରେ ଫଶିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଦମ୍ପତିଙ୍କ ବ୍ୟତୀତ ଫ୍ୟାଶନ ଟିଭିର ପରିଚାଳନା ନିର୍ଦ୍ଦେଶକ କାଶୀଫ ଖାନ ଏବଂ ଅନ୍ୟମାନଙ୍କ ଉପରେ ମଧ୍ୟ ଠକେଇ ଅଭିଯୋଗ କରିଛନ୍ତି। ପୁଣେରେ ରହୁଥିବା ନିତିନ ବାରାଇ ଏହି ତିନିଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ନିତିନ ବରଈ ନାମକ ଜଣେ ବ୍ୟକ୍ତି ଦମ୍ପତିଙ୍କ ବିରୋଧରେ ଠକେଇ ନେଇ ଏତଲା ଦାୟର କରିଛନ୍ତି। ଏହି ଘଟଣା ଜୁଲାଇ ୨୦୧୪ରେ ଘଟିଥିଲା। ଏନେଇ ଅଭିଯୋଗକାରୀ କହିଛନ୍ତି ଯେ ଏସଏଫଏଲ୍ ଫିଟନେସ୍ ପିଭି ଲିମିଟେଡ୍ର ନିର୍ଦ୍ଦେଶକ କାଶିଫ୍ ଖାନ୍, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଏହି ଫିଟନେସ୍ ସେଣ୍ଟରରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ ଏବଂ ଲାଭର ପ୍ରତିଶୃତି ମଧ୍ୟ ଦେଇଥିଲେ। କିନ୍ତୁ ଯୁବକମାନେ ଦାବି କରିଛନ୍ତି ଯେ ଯେତେବେଳେ ଏହା ଘଟିଲା ନାହିଁ ଏବଂ ସେ ତାଙ୍କ ଟଙ୍କା ମାଗିଥିଲେ, ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ ଓ ଶିଳ୍ପା ଏକ ଫିଟନେସ୍ କମ୍ପାନୀ ମାଧ୍ୟମରେ ୨୦୧୪-୨୦୧୫ରେ ତାଙ୍କ ସହ ୧.୫୧ କୋଟିର ଠକେଇ କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିତିନଙ୍କ ଅଭିଯୋଗ ପରେ ବାନ୍ଦ୍ରା ପୋଲିସ ଆଇପିସିର ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଓ ୧୨୦(ବି)ରେ ମାମଲା ରୁଜୁ କରିଛି। ପୋଲିସ ଏହି ମାମଲାରେ ଖୁବଶୀଘ୍ର ଶିଳ୍ପା ଓ ରାଜ୍ଙ୍କୁ ପଚରାଉଚରା କରିପାରେ। ଏନେଇ ବର୍ତ୍ତମାନ ସୁଦ୍ଧା ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ। ସୂଚନା ଯେ, ନିକଟରେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳତା ବା ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ କରାଯାଇଥିଲା। ଏବେ ଅନ୍ୟ ଏକ ମାମଲାରେ ସେ ଆଇନଗତ କାର୍ଯ୍ୟରେ ଧରା ପଡ଼ିଥିବା ଜଣାପଡିଛି।
