ଆଜି ଶିଶୁ ଦିବସ : କାହିଁକି ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଏ?
ଆଜି ଶିଶୁଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ପିଲାଙ୍କ ଗହଣରେ ଚାଚା ନେହେରୁ ଭାବେ ପରିଚିତ ଜବାହାରଙ୍କ ସ୍ମୃତିରେ ଆଜି ଶିଶୁ ଦିବସ ପାଳନ କରାଯାଉଛି ।
ପ୍ରତିବର୍ଷ ୧୪ ନଭେମ୍ବରକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୮୮୯ ମସିହା ୧୪ ନଭେମ୍ବରରେ ଜନ୍ମଗ୍ରହଣ କରିଥିଲେ। ନେହେରୁ ପିଲାମାନଙ୍କୁ ଏତେ ଭଲ ପାଉଥିଲେ ଯେ ପିଲାମାନେ ତାଙ୍କୁ ମାମୁଁ ନେହେରୁ ବୋଲି କହୁଥିଲେ। ଏହି କାରଣରୁ ନେହେରୁଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରିଯାଏ। ଏହି ଅବସରରେ ଅନେକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ମଧ୍ୟ କରାଯାଏ। ନେହେରୁ ଜୀଙ୍କୁ ମନେ ରଖିବା ପାଇଁ ଅନେକ ଲୋକ ଅନ୍ୟକୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଦିଅନ୍ତି।
ଏହି ଦିନ ପିଲାମାନଙ୍କୁ ଅଧିକାର, ଯତ୍ନ ଏବଂ ଶିକ୍ଷା ବିଷୟରେ ଲୋକଙ୍କୁ ଅବଗତ କରାଯାଏ। ନେହେରୁ ବିଶ୍ବାସ କରୁଥିଲେ ଯେ ପିଲାମାନେ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କୁ ଭଲପାଇବା ଏବଂ ସ୍ନେହ ଦିଆଯିବା ଏବଂ ସେମାନଙ୍କ ଯତ୍ନ ନେବା ଜରୁରୀ। ଯାହା ଫଳରେ ସେମାନେ ନିଜ ଗୋଡରେ ନଜେ ଠିଆ ହୋଇପାରିବେ।
ଦେଶର ଭବିଷ୍ୟତ ନିର୍ମାଣରେ ଶିଶୁଙ୍କ ମହତ୍ତ୍ଵ ଏବଂ ଶିଶୁ ଅଧିକାର ପ୍ରତି ଲୋକଙ୍କୁ ସଚେତନ କରାଇବାକୁ ଉଦ୍ୟମ କରାଯାଉଛି। ଏ ଅବସରରେ ସ୍କୁଲ ମାନଙ୍କରେ ଖେଳକୁଦ ଓ ବିଭିନ୍ନ ପ୍ରତିଯ଼ୋଗିତାର ଆୟୋଜନ କରାଯାଇଥାଏ । ଶିଶୁଙ୍କୁ ସର୍ବଦା ଉତ୍ତମ ଶିକ୍ଷା, ପୋଷଣ ଏବଂ ସଂସ୍କାର ମିଳିବା ନେଇ ସର୍ବଦା ଚେଷ୍ଟିତ ଥିଲେ ଚାଚା ନେହରୁ । ୨୭ ମଇ ୧୯୬୪ରେ ନେହରୁଙ୍କ ପରଲୋକ ପରେ ସେହିବର୍ଷରୁ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳିତ ହୋଇ ଆସୁଛି।
ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ନେହେରୁ ବିଚାର କରି ଆସୁଥିଲେ । ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ନେହେରୁ ଶିଶୁଙ୍କର ସାକ୍ଷରତା ଉପରେ ଗୁରୁତ୍ୱ ଦେବା ସହ ସେମାନଙ୍କୁ ପୃଷ୍ଟିହୀନତାରୁ ରକ୍ଷା କରିବାକୁ ବିଶେଷ ଧ୍ୟାନ ଦେଉଥିଲେ ।
ନବଭାରତ ନିର୍ମାତା ଭାବରେ ଜବାହରଲାଲ ନେହେରୁ ଜଣାଶୁଣା । ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ । ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି ବୁଲୁଥିଲେ। ଏହି ମହାନ ମହାନାୟକଙ୍କ ଜନ୍ମ ଦିବସକୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି।
