ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର୍ରେ ଏଥର ପାଉଡି ଭୂୟାଁ ଜନଜାତି
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର ରେ ଆସନ୍ତାକାଲି ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ ମାଧ୍ୟମରେ ପାଉଡି ଭୂୟାଁ ଜନଜାତି ସଂପର୍କରେ ଜାଣିପାରିବେ । ଭୂୟାଁ ଜନଜାତିର ଏକ ଗୋଷ୍ଠି ହେଉଛନ୍ତି ପାଉଡି ଭୂୟାଁ ଜନଜାତି । ବିହାର, ପଶ୍ଚିମବଙ୍ଗ ଓ ଆସାମରେ ପାଉଡି ଭୂୟାଁ ଜନଜାତି ବସବାସ କରିଥାନ୍ତି । ଓଡିଶାର ସୁନ୍ଦରଗଡ, ଅନୁଗୁଳ ଓ ଦେଓଗଡ ଜିଲ୍ଲାରେ ଏହି ଜନଜାତି ବାସ କରନ୍ତି । ସେମାନଙ୍କର ମୁଖ୍ୟ ପେଶା ହେଉଛି ଝାଡୁ ତିଆରି, ମ୍ୟାଟ୍ ତିଆରି, ଝୁଡି ପ୍ରସ୍ତୁତି, ଲିଚୁ ଚାଷ, ଟସର ଚାଷ ଇତ୍ୟାଦି । ସେମାନେ ସ୍ଥାନୀୟ ଓଡିଆ ଭାଷାରେ କଥାବାର୍ତା କରିଥାନ୍ତି । ସେମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶିକାର କରିବାକୁ ଭଲ ପାଆନ୍ତି । ଯୁବକମାନଙ୍କ ପାଇଁ ଗ୍ରାମର କେନ୍ଦ୍ର ଭାଗରେ ‘ଦରବାର ଘର’ ତିଆରି ହୋଇଥାଏ । ଏହି ସୁପ୍ରଶସ୍ତ ଶୟନାଗାରରେ ସେମାନେ କାନ୍ଥରେ ‘ଚାଙ୍ଗୁ’ ଝୁଲାଇ ରଖିଥାନ୍ତି ଓ ଅନ୍ୟ ଏକ କୋଣରେ ଶସ୍ୟ ରଖାଯାଇଥାଏ । ଗୋଟିଏ ଗ୍ରାମରେ ୫ରୁ ୨୦ଟି ପରିବାର ବାସ କରିଥାନ୍ତି । ପାଉଡି ଭୂୟାଁ ଜନଜାତି ସେମାନଙ୍କର ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି । ଘରର କାନ୍ଥ ଗୋବରରେ ଓ ନାଲି ମାଟିରେ ଲିପା ଯାଇଥାଏ ।
ପ୍ରତ୍ୟେକ ପରିବାରରେ କିଚେନ୍ ଗାର୍ଡେନ୍ ରହିଥାଏ । ଘରଗୁଡିକ ୩ ଭାଗରେ ବିଭକ୍ତ ହୋଇଥାଏ । ଆଭ୍ୟନ୍ତରୀଣ ଭାଗରେ ଶସ୍ୟାଗାର, ମଧ୍ୟଭାଗରେ ରୋଷେଇ ଓ ଶୟନ କକ୍ଷ ରହିଥାଏ । ପାଉଡି ଭୂୟାଁମାନେ ମୁଖ୍ୟତଃ ମାଟିର ପାତ୍ର , ତାଳପତ୍ର ଚଟେଇ ଓ ବାଉଁଶ ଝୁଡି ବ୍ୟବହାର କରିଥାନ୍ତି । ସେମାନେ ପୋଡୁଚାଷ କରିଥାନ୍ତି । ସେମାନଙ୍କର ପୋଡୁ ଚାଷର କ୍ଷେତ୍ରକୁ ‘ବିରିଙ୍ଗା’ କୁହାଯାଏ । ଆଉ ମଧ୍ୟ ସେମାନେ ଡାଲି ଓ ବାଜରା ଜାତୀୟ ଚାଷ କରିଥାନ୍ତି । ଅନାବାଦି ଜମିଗୁଡିକ ଗ୍ରାମର ଅଧୀନକୁ ଚାଲିଯାଏ । ପାଉଡି ଭୂୟାଁମାନେ ଗାଈ, ମଇଁଷି, ଛେଳି, ମେଣ୍ଢା, କୁକୁଡା ଆଦି ପଶୁ ପାଳନ କରିଥାନ୍ତି । ଦୈନନ୍ଦିନ ଆବଶ୍ୟକତା ପୂରଣ ନିମନ୍ତେ ସେମାନେ ତାଙ୍କ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟକୁ ଅନ୍ୟମାନଙ୍କ ସହ ବଦଳ କରିଥାନ୍ତି । ପାଉଡି ଭୂୟାଁ ଜନଜାତି ମାନେ ଧରମ ଦେବତା ଓ ବାସୁକୀ ମାତାଙ୍କୁ ମହାନ ଦେବାଦେବୀ ଭାବେ ମାନିଥାନ୍ତି । ସେମାନେ ଆମ ନୂଆ, କାଠଯାତ୍ରା, ଅଖାନୀ, ପରିଧି ଓ ଆଷାଢ ପର୍ବ ଆଦି ପାଳନ କରିଥାନ୍ତି ।
