ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଲ ରେକଡର୍ସ ଯାଂଚ କରାଯାଉ : ଭକ୍ତ ଦାସ
ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ପୁଣି ଥରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ । ସେହି ସମୟରେ ମନ୍ତ୍ରୀଙ୍କର ସମସ୍ତ ଗସ୍ତ ସୂଚୀ ଓ ତାଙ୍କ ଡ୍ରାଇଭର, ପିଏ ଏବଂ ଅନ୍ୟାନ୍ୟ କେତେଜଣ ଘନିଷ୍ଠ ବନ୍ଧୁମାନଙ୍କର ଫୋନ୍କଲ ରେଜିଷ୍ଟରକୁ ସରକାର ଯାଂଚ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ପ୍ରଦେଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ସାଂସଦ ଥିବାବେଳେ ମହାଲିଙ୍ଗ କଲେଜକୁ ଆଂଚଳିକ ପାଣ୍ଠିରୁ ଅର୍ଥ ସାହାଯ୍ୟ କରିବା ସହ ୪ ଥର କଲେଜରେ ବାର୍ଷିକ ଉତ୍ସବରେ ଯୋଗଦେଇଥିôଲେ । କିନ୍ତୁ ମନ୍ତ୍ରୀ ଦିବ୍ୟଶଙ୍କର ଏଭଳି ଏକ ଅନୁଷ୍ଠାନକୁ ରଙ୍ଗଶାଳାରେ ପରିଣତ କରିବା ତାଙ୍କୁ ବ୍ୟଥିତ ଓ ଆଶ୍ଚର୍ଯ୍ୟ ଚକିତ କରିଛି । ମନ୍ତ୍ରୀ ମମିତା ନିଖୋଜ ପୂର୍ବରୁ ଏବଂ ମମିତା ନିଖୋଜ ପରେ କେଉଁ କେଉଁ ଯାଗାକୁ ଗସ୍ତ କରିଥିଲେ ଏବଂ ସେ ଗସ୍ତ ସମୟରେ ତାଙ୍କର ରାୟପୁର ନିବାସକୁ ଯାଇଥିଲେ କି ନାହିଁ ଏବଂ ଯଦି ଯାଇଥିଲେ ତାଙ୍କ ସାଂଗରେ ଆଉ କିଏ କିଏ ଯାଇଥିଲେ ଏହାର ସୂଚୀ ଶୀଘ୍ର ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ଦାବି କରିଥିଲେ ।
ଆଗାମୀ ଦିନରେ ଓଡ଼ିଶାର ମା’ ଭଉଣୀମାନଙ୍କର ସୁରକ୍ଷା ଏବଂ ମର୍ଯ୍ୟାଦା ପାଇଁ କଂଗ୍ରେସ ଦଳ ସାଧାରଣ ଜନତାଙ୍କ ନିକଟରେ ପଂହଚି ଜନମତ ସଂଗ୍ରହ କରିବା ସହ ସରକାରଙ୍କ ବିରୋଧରେ ଏକ ଦୃଢ଼ ଆନ୍ଦୋଳନ କରିବ । ଗଣତନ୍ତ୍ରକୁ ସୁରକ୍ଷା ଓ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ମମିତା ମେହେର ହତ୍ୟାକାଣ୍ଡର ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ପୂର୍ବକ ଏହାର ସତ୍ୟାସତ୍ୟ ନିର୍ଣ୍ଣୟ କରିବାପାଇଁ ଶ୍ରୀ ଦାସ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେର ବରିଷ୍ଠ ଉପସଭାପତି ଯଜେ୍ଞଶ୍ୱର ବାବୁ, ରାଜ୍ୟ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ମୁଖପାତ୍ର ମନୋଜ ମହାପାତ୍ର, ପଦ୍ମାକର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।
