ମଣିପୁର ଆତଙ୍କବାଦୀ ଆକ୍ରମଣ ଘଟଣା : ବଡ଼ ଧରଣର ଅପରେସନ ଆରମ୍ଭ କଲା ଭାରତୀୟ ସେନା
ଇମ୍ପାଲ : ଆଜି ମଣିପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଏହି ଆକ୍ରମଣ ପାଇଁ ମଣିପୁରର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ (ଏମଏନପିଏଫ) ନିଜକୁ ଦାୟୀ କରିଛି । ଏହି ଆକ୍ରମଣରେ ୫ ଯବାନ, ଜଣେ ମହିଳା ଓ ଜଣେ ବାଳକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣକୁ ନେଇ ସାରା ଦେଶରେ ଭୀଷଣ ପ୍ରତିକ୍ରିୟା ଦେଖାଦେଇଛି । ଏହି ଆକ୍ରମଣ ପରେ ଗତ କିଛି ବର୍ଷ ଧରି ଅପେକ୍ଷାକୃତ ଶାନ୍ତ ଥିବା ମଣିପୁରର ପୁଣି ଅସ୍ଥିର ହେବାର ଆଶଙ୍କା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଧରଣର ଅପରେସନ ଆରମ୍ଭ କରିଦେଇଛି ଭାରତୀୟ ସେନା । ପିଏଲଏ ଆତଙ୍କବାଦୀମାନେ ଯେପରି ସୀମା ସେପଟକୁ ଖସି ନ ଯାଆନ୍ତି ସେଥିପାଇଁ ଭାରତ-ମିଆଁମାର ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।
ଆଜି ଏହି ଆକ୍ରମଣ ସମ୍ପର୍କରେ ସେନାମୁଖ୍ୟ ଏମଏମ ନାରାଓ୍ବାଣେଙ୍କୁ ସୂଚନା ଦିଆଯାଇଛି । ଆତଙ୍କବାଦୀମାନଙ୍କୁ ଚିହ୍ନଟ କରି ନିପାତ କରିବାକୁ ସେ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି । ସେନା ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅପରେସନକୁ ନୂଆଦିଲ୍ଲୀ ସ୍ଥିତ ସେନାମୁଖ୍ୟାଳୟରୁ ତଦାରଖ କରାଯାଉଛି । ଏହି ଆକ୍ରମଣରେ ସହିଦ ହୋଇଥିବା ଆସାମ ରାଇଫଲ୍ସର ଖୁଗ୍ରା ବାଟାଲିଅନର କମାଣ୍ଡିଂ ଅଫିସର ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ଓ ୮ ବର୍ଷର ପୁଅ ମଧ୍ୟ ନିହତ ହୋଇଛନ୍ତି । ବିପ୍ଳବଙ୍କ ପରିବାରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବାରୁ ତାହାକୁ ନେଇ ସେନା ଅଧିକାରୀମାନେ ଆପତ୍ତି ଉଠାଇଛନ୍ତି । ସହିଦ ପରିବାରକୁ ସମ୍ମାନଜଣାଇବା ସହ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଲୋକମାନେ ସମ୍ମାନ ଜଣାନ୍ତୁ ବୋଲି ସେନା ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ କେଜେଏସ ଧୀଲୋନ ନିବେଦନ କରିଛନ୍ତି । ଜୁନ ୪, ୨୦୧୫ ପରେ ମଣିପୁରରେ ସେନା ଉପରେ ହୋଇଥିବା ଏହା ସବୁଠାରୁ ବଡ଼ ଆକ୍ରମଣ । ୨୦୧୫ ରେ ହୋଇଥିବା ଏହି ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ । ଉକ୍ତ ଆକ୍ରମଣ ପରେ ସେନା ମିଆଁମାର ସୀମା ଭିତରକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ।
