ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ : ‘ତାଜ୍ ସୁପର୍ ଫାଷ୍ଟ୍ ଏକ୍ସ୍ପ୍ରେସ୍’ରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ୦୪୦୬୨ ତାଜ୍ ସୁପର୍ ଫାଷ୍ଟ୍ ଏକ୍ସ୍ପ୍ରେସ୍’ରେ ଅଗ୍ନିକାଣ୍ଡ । ଶନିବାର ସକାଳେ ନୂଆଦିଲ୍ଲୀ ରେଳବାଇ ଷ୍ଟେସନ୍ ଛାଡ଼ିବାର କିଛି କ୍ଷଣ ପରେ ଝାନ୍ସୀ ଅଭିମୁଖେ ଯାଉଥିବା ବେଳେ ଗୋଟାଏ ଶୀତତାପନିୟନ୍ତ୍ରିତ କୋଚ୍ରେ ଛୋଟଧରଣର ଅଗ୍ନିକାଣ୍ଡ ଘଟିଥିବା ନେଇ ରେଳବାଇ ଅଧିକାରୀମାନେ କହିଛନ୍ତି।
‘ତାଜ୍ ସୁପର୍ ଫାଷ୍ଟ୍ ଏକ୍ସ୍ପ୍ରେସ୍’ ସକାଳ ୬.୫୬ରେ ନୂଆଦିଲ୍ଲୀ ଛାଡ଼ିବାର ପ୍ରାୟ ୫୦ କିଲୋମିଟର୍ ପରେ ହରିୟାଣାର ଆଶାବତୀ ରେଳବାଇ ଷ୍ଟେସନ୍ରେ ସକାଳ ୭.୪୦ରେ ଉପରୋକ୍ତ କୋଚ୍ରେ ନିଆଁ ଲାଗିଯାଇଥିଲା। ଷ୍ଟେସନ୍ ମାଷ୍ଟର୍ ଧୂଆଁ ଉଠୁଥିବା ଦେଖିବା ପରେ ଟ୍ରେନ୍କୁ ଅଟକା ଯାଇଥିଲା। ଏନେଇ ଉତ୍ତରାଞ୍ଚଳ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି, ବ୍ରେକ୍ ବ୍ଲକ୍ ଜାମ୍ ଧରି ଯାଇଥିବାରୁ ଧୂଆଁ ଉଠିଥିଲା। ହଜ୍ରତ୍ ନିଜାମୁଦ୍ଦିନ ଓ ପାଲୱାଲ୍ ସେକ୍ସନ୍ ମଧ୍ୟରେ ଥିବା ଆଶାବଦୀ ରେଳବାଇ ଷ୍ଟେସନ୍ରେ ଟ୍ରେନ୍ଟିକୁ ଅଟକାଇବା ପରେ ଜଳୁଥିବା ନିଆଁ ଲିଭା ଯାଇଥିଲା। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି। ତନ୍ନ ତନ୍ନ କରି ବୈଷୟିକ ଯାଞ୍ଚ କରାଯିବା ପରେ ସକାଳ ୮.୩୦ରେ ପୁଣି ‘ତାଜ୍ ସୁପର୍ ଫାଷ୍ଟ୍ ଏକ୍ସ୍ପ୍ରେସ୍’ ଆଶାବତୀ ରେଳବାଇ ଷ୍ଟେସନ୍ରୁ ଗନ୍ତବ୍ୟ ପଥରେ ଯାତ୍ରା କରିଥିବା କଥା ଅଧିକାରୀଜଣକ ସୁନିଶ୍ଚିତ କରିଛନ୍ତି।
