ଜୁଡ଼ିଆ ଘାଟିରୁ ଯୁବତୀଙ୍କ ହାଡ଼ ଓ ଚୁଡ଼ି ଠାବ
କେନ୍ଦୁଝର : ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଉପରକାଦକଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ୧ ବର୍ଷ ପରେ ପ୍ରେମିକାଙ୍କର ହାଡ଼ ଓ ଚୁଡ଼ି ଟାଉନ୍ ଥାନା ଜୁଡ଼ିଆ ଘାଟିରୁ ଠାବ ହୋଇଛି ।
ସୂଚନା ଯେ, ଚକ୍ରଧର ଓ ନବାତ ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘର ଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ରହିଥିଲେ । ହେଲେ ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା । ଝିଅ କେଉଁଠି ବୋଲି ପଚାରିବାରୁ ଚକ୍ରଧରଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ ନବାତଙ୍କ ପରିବାର । ଗତ କିଛିଦିନ ହେବ ଥାନାରେ ଚକ୍ରଧରଙ୍କୁ ପଚରା ଉଚୁରା କରିବା ପରେ ଆଜି ନବାତଙ୍କ ହାଡ ଓ ଚୁଡ଼ି ଆଦି ଜୁଡ଼ିଆ ଘାଟିରୁ ଠାବ କରିଛି ପୋଲିସ ।
