ଆଜି ଭିଡିଓ କନଫରେନ୍ସିଂରେ ବଂଶଧାରା ଜଳ ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି
ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ। ଶୁଣାଣିକୁ ‘ଭର୍ଚୁଆଲ୍ ମୋଡ୍’ରେ କରାଯିବା ପାଇଁ ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥଙ୍କ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ଓକିଲଙ୍କ ଅନୁରୋଧ ଉପରେ ସହମତି ପ୍ରଦାନ କରିଥିଲେ।
ବଂଶଧାରା ଜଳ ବିବାଦ ମାମଲାକୁ ‘ଫିଜିକାଲ୍ ମୋଡ’ରେ କରିବା ପାଇଁ ଆଜି ତିନି ଜଣିଆ ଖଣ୍ଡପୀଠ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ ବେଞ୍ଚରେ ଅନ୍ୟ ମାମଲାର ଶୁଣାଣି ଦୀର୍ଘ ସମୟ ଧରି ଜାରି ରହିବା ଯୋଗୁଁ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ହୋଇପାରିନଥିଲା। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲାରେ ନିୟୋଜିତ ଓକିଲ ଜୟନ୍ତ ଭୂଷଣ ମାମଲାର ପରବର୍ତ୍ତୀ ଶୁଣାଣିକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବା ପାଇଁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮କୁ ଧାର୍ଯ୍ୟ କରାଯାଇଛି। ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ରାୟକୁ ବିରୋଧ କରି ଓଡ଼ିଶା ତିନିଟି ଏସ୍ଏଲ୍ପି ସୁପ୍ରିମକୋର୍ଟରେ ଦାୟର କରିଛି।
