କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ, ବ୍ୟାପକ ପୋଲିସ ଫୋର୍ସ ମୁତୟନ
ଭୁବନେଶ୍ୱର : କଳାହାଣ୍ଡି ଜିଲାର ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ହରତାଳ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ଏହାର ପ୍ରଭାବରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇପାରିନାହିଁ। ଖାଲି ସେତିକି ନୁହେଁ, ଜନଜୀବନ ବି ପ୍ରଭାବିତ ହୋଇଛି। କଟକ, ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଟ୍ରକ୍ ଚଳାଚଳ ସ୍ବାଭାବିକ ଥିଲେ ବି ବେଶୀସଂଖ୍ୟକ ବସ ଚାଲୁନାହିଁ। ତେବେ କଟକ ଓ ଭୁବନେଶ୍ୱରରେ ମୋ ବସ୍ ଚାଲିଥିବାର ଦେଖିବାକୁ ମିଳୁଛି। କିନ୍ତୁ ଆଜି ଲୋକ ହେଉ ନଥିବା ହେତୁ ବସ୍ ଚାଲୁନଥିବା କୁହାଯାଉଛି। ବନ୍ଦ ଓ ହରତାଳ ବେଳେ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲାରେ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି।
ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ । ଏହାସହ ଇସ୍ତଫା ମଧ୍ୟ ଦାବି କରୁଛନ୍ତି । ହତ୍ୟା ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ସାରା ରାଜ୍ୟରେ ଶୁକ୍ରବାର ୬ ଘଣ୍ଟିଆ ହରତାଳ କରୁଛି । ତେବେ ଶୁକ୍ରବାର ଦଳର କର୍ମୀମାନେ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ନାରାବାଜି କରୁଥିବା ଦଖିବାକୁ ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସ୍ୱତଃପ୍ରବୃତ ଭାବେ ବନ୍ଦରେ ସାମିଲ ହେବାକୁ ଅପିଲ କରିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଉଛି। ତେବେ ଜରୁରୀକାଳୀନ ସେବାରେ ନିଯୁକ୍ତ ବ୍ୟକ୍ତିବିଶେଷ, ମୋଟରଯାନ ଓ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଯିବାର ସୁଯୋଗ ଦିଆଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏଯାବତ୍ ସବୁଠି ହରତାଳ ଶାନ୍ତିପୂର୍ଣ୍ଣ ରହିଛି। ଏନେଇ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବନ୍ଦକୁ ଲୋକଙ୍କ ପୂର୍ଣ୍ଣ ଏବଂ ଅକୁଣ୍ଠ ସମର୍ଥନ ମିଳୁଛି। ବନ୍ଦ ସଫଳ ହୋଇଛି। ଆଜି ସକାଳେ ବିଧାୟକ ସୁରେଶ ରାଉତରାୟ, ଜୟଦେବ ଜେନା ଓ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି, ଲୋକମାନେ ସମଥର୍ନ କରିଛନ୍ତି। ଆନ୍ଦୋଳନକୁ ପ୍ରଭାବହୀନ କରିବା ପାଇଁ ବିଜେଡି ଚକ୍ରାନ୍ତ କରିଛି। ବିଜେଡି କଂଗ୍ରେସକୁ ଡରୁଚି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାନଯିବା ଯାଏଁ ଆନ୍ଦୋଳନ ଚାଲିବ।
