ଆଜି ପବିତ୍ର ଅଁଳା ନବମୀ : ଶ୍ରୀରାଧାଙ୍କ ପାଦଦର୍ଶନରୁ ବଂଚିତ ରହିବେ ଶ୍ରଦ୍ଧାଳୁ
- ଅଁଳାନବମୀ ଓ ବଡଏକାଦଶୀ ପାଇଁ ସାକ୍ଷୀଗୋପାଳ ମନ୍ଦିର ଚାରିପଟେ ୧୪୪ ଧାରା ଜାରି
ପୁରୀ : ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଆଜି ପବିତ୍ର ଅଁଳା ନବମୀ ଓ ରାଧା ପାଦଦର୍ଶନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଚଳିତ ବର୍ଷ ମଧ୍ୟ ପ୍ରଶାସନର କଟକଣା ପାଇଁ ଭକ୍ତ ମାନେ ରାଧା ପାଦ ଦର୍ଶନରୁ ବଂଚିତ ରହିବେ । ଭକ୍ତ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଅଁଳା ନବମୀ ଓ ବଡ଼ ଏକାଦଶୀ ଦିନ ମନ୍ଦିର ଚର୍ତୁପାଶ୍ୱର୍ରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରା ଜାରୀ କରାଯାଇଛି । ଉକ୍ତ ଦିନ ଗୁଡିକରେ ଭୋର୍ ୪ ଟା ଠାରୁ ରାତ୍ର ୧୧ ଟା ପର୍ଯ୍ୟନ୍ତ କଟକଣା ବଳବତର ରହିବ । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ନୀତିକାନ୍ତି ସମାପନ ହେବ । କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନେ ସମ୍ପୃକ୍ତ ଅଂଚଳକୁ ଯାଇପାରିବେ । ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ସାକ୍ଷିଗୋପୀନାଥଙ୍କ ସମସ୍ତ ନୀତିକାନ୍ତି ସମାପନ କରିବେ ।
ଆସନ୍ତା ୧୨ ଓ ୧୫ ତାରିଖରେ ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି କରାଯିବ । ଆସନ୍ତା ୧୨ ତାରିଖ ଅଁଳା ନବମୀ ଓ ୧୫ ତାରିଖ ବଡ଼ ଏକାଦଶୀ ଦିନ ଏହି କଟକଣା ବଳବତର ରହିବ । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳ ଠାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଉକ୍ତ ଦୁଇ ଦିନରେ ବହୁ ସଂଖ୍ୟାରେ ଜନ ସମାଗମ ହେବା ଏବଂ କରୋନା ବ୍ୟାପିବା ଆଶଙ୍କା ଥିବାରୁ ଏହି କଟକଣା ବଳବତର ରହିବ । କେବଳ ସ୍ୱୀକୃତୀପ୍ରାପ୍ତ ବ୍ୟକ୍ତି ବିଶେଷମାନଙ୍କ ପ୍ରବେଶାନୁମତି ରହିବ । ମନ୍ଦିରର ନୀତିକାନ୍ତି ସୂଚାରୁରୂପେ ପରିଚାଳନା କରିବା ନିମନ୍ତେ ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ପରିସର ସାନିଟାଇଜ କରାଯିବା ସହ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସଫେଇ କରାଯିବାକୁ ବୈଠକରେ ନିଷ୍ପତି ହୋଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଏସଡ଼ିପିଓ ଦେବଦତ ବରାଳ, ଥାନାଅଧିକାରୀ ଦେବୀ ପ୍ରସାଦ ପାତ୍ର, ମନ୍ଦିର ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଦେବତୋର ବିଭାଗ ସହ କମିଶନର ଶ୍ରୀଦୀପ ମିଶ୍ର, ସେବାୟତ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
