ଓକାକର ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ କରି ଏକାଉଂଟରୁ ଲୁଟି ନେଲେ ୭ ଲକ୍ଷ ଟଙ୍କା
ଭୁବନେଶ୍ୱର : ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଂଟର(ଓକାକ)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରା ଯାଇ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି । ଭୁବନେଶ୍ୱରର ସହିଦନଗର ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଯାଂଚ ଆରମ୍ଭ କରିଥିବା ଜଣା ପଡିଛି ।
ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା । ଆର ପଟୁ କେହି କିଛି ନ କହିବାରୁ ୩୦ ସେକେଣ୍ଡ ପରେ ସେ କଲ୍ କାଟିଦେଇଥିଲେ । ଏହାର କିଛି ସମୟ ପରେ ଜଣେ ସାଙ୍ଗ ଫୋନ୍ କରି ପଚାରିଲେ ଯେ, ମନୋଜଙ୍କ ସ୍ୱାସ୍ଥ୍ୟ କେମିତି ଅଛି । ଏହା ସହିତ ଟଙ୍କା ମାଗିବାର ମେସେଜ୍ ଆସିଥିବା ସେ କହିଥିଲେ । ଏହା ପରେ ଫୋନ୍ ହ୍ୟାକ୍ ହୋଇଥିବା ସେ ଜାଣିଲେ ବୋଲି ମନୋଜ ପଟ୍ଟନାୟକ କହିଛନ୍ତି । ଏହା ପରେ ଆଉ କେତେକ ସାଙ୍ଗ ଓ ସଂପର୍କୀୟଙ୍କ ଫୋନ୍ ଆସିଥିଲା । ସେମାନଙ୍କ ନିକଟକୁ ଟଙ୍କା ମାଗିବାର ମେସେଜ ଆସିଥିବା କହିଲେ । ତାଙ୍କ ଅଫିସ୍ର କିଛି ଷ୍ଟାଫ୍ ମଧ୍ୟ ଟଙ୍କା ଦେଇଛନ୍ତି । ଏବେ ବି ନିଜ ଫୋନ୍ରେ ହ୍ୱାଟସ୍ଆପ୍ ଇନ୍ଷ୍ଟଲ କରିପାରିନାହାନ୍ତି ମନୋଜ ପଟ୍ଟନାୟକ । ତେବେ ସେ କହିଛନ୍ତି, କୌଣସି ଲିଙ୍କରେ କ୍ଲିକ କରି ନାହାନ୍ତି । ତା ସତ୍ତ୍ୱେ ଦୁର୍ବୃତ୍ତ କିପରି ହ୍ୟାକ୍ କଲା ବୋଲି ଆଶ୍ଚର୍ଯ୍ୟ ହୋଇଛନ୍ତି ମନୋଜ ପଟ୍ଟନାୟକ । ରାଜ୍ୟରେ ସାଇବର କ୍ରାଇମ୍କୁ ଧରିବାକୁ ବହୁ ପଦକ୍ଷେପ ନିଆଯାଉଛି। ହେଲେ ଓକାକ୍ର ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବଙ୍କ ଫୋନ୍ ଯଦି ହ୍ୟାକ୍ ହୋଇପାରୁଛି, ତେବେ ସାଧାରଣ ଲୋକ କିପରି ସାଇବର ଲୁଟେରାଙ୍କ କବଳରୁ ନିଜ ଅର୍ଥକୁ ସୁରକ୍ଷିତ ରଖିପାରିବେ ତାକୁ ନେଇ ଦେଖାଦେଲାଣି ଚିନ୍ତା।
