ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
ଭୁବନେଶ୍ୱର : ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଶୁକ୍ରବାର ସକାଳ ୬ରୁ ଦିନ ୧୨ଟା ଯାଏଁ ଏହି ବନ୍ଦ ପାଳନ ହେବ । ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଶାନ୍ତିପୂର୍ଣ୍ଣଭାବେ ଏହି ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ସମୟରେ ରେଳ, ବସ୍, ଟ୍ରକ ଚଳାଚଳ, ଦୋକାନ ବଜାର, ଗାଡ଼ିମୋଟର ବନ୍ଦ ରହିବ। ମେଡ଼ିକାଲ ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସଫଳ କରିବା ପାଇଁ ରାଜ୍ୟବାସୀଙ୍କୁ କଂଗ୍ରେସ ଆହ୍ୱାନ ଦେଇଛି।
ଓଡ଼ିଶାରେ ନାରୀ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ବଢୁଛି । ରାଜ୍ୟ ସରକାର ଅନ୍ଧ ଧୃତରାଷ୍ଟ୍ର ଭଳି ସବୁ ଜାଣି ଚୁପ୍ ରହୁଛନ୍ତି । ଏହା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଶୁକ୍ରବାର ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ତେବେ ପରେ ଅଚାନକ ବନ୍ଦ ପାଳନ ଅବଧିକୁ କଂଗ୍ରେସ ହ୍ରାସ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ପରୋକ୍ଷରେ ମମିତା ମେହେର ମୃତ୍ୟୁ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ନିମନ୍ତେ କଂଗ୍ରେସ ଚଳାଇଥିବା ଅଭିଯାନକୁ ଦୁର୍ବଳ କରାଇଥିବା ଚର୍ଚ୍ଚା ହେଉଛି।
