ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କୋରୋନା ଭୂତାଣୁ ମାମଲାରେ ପୁଣି ଥରେ ବୃଦ୍ଧି ଦେଖାଦେଇଛି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ବୃଦ୍ଧି ଘଟିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୦୯୧ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୦ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୮୭୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧୧୨୭ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ବୁଧବାର ୭,୫୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୦ ଲକ୍ଷ ୩୪ ହଜାର ୮୫୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୯ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪,୬୨୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୮୪୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୯,୨୯,୧୫୩ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୭୦,୪୫୯ କୋରୋନାର ସକ୍ରିୟ ମାମଲା ରହିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୪ ଲକ୍ଷ ୧ ହଜାର ୪୩୭ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩୮ ଲକ୍ଷ ୯୨୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୩୮ ହଜାର ୫୫୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୬୨ ହଜାର ୧୮୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ନଭେମ୍ୱର ୧୦ ପର୍ଯ୍ୟନ୍ତ ସାରା ଦେଶରେ ୧୧୦ କୋଟି ୨୩ ଲକ୍ଷ ୩୪ ହଜାର ୨୨୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ଲକ୍ଷ ୫୪ ହଜାର ୮୧୭ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୧ କୋଟି ୯୯ ଲକ୍ଷ ୨ ହଜାର ୬୪ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୮୯ ହଜାର ୪୭୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତର କମ୍ ରହିଛି ।
