ତୃତୀୟ ଲହର ମୁକାବିଲା : ସର୍ଭିଲାନ୍ସ, ଟିକାକରଣ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡ୍ ସଂକ୍ରମିତଙ୍କ ନିମନ୍ତେ ପୂର୍ବଭଳି ବେଡ୍ ପ୍ରସ୍ତୁତ କରି ରଖିବା ପାଇଁ ସମସ୍ତ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ସୂଚନା ଯେ, କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତିରିକ୍ତ ମାନବ ସମ୍ବଳ ଉପଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। କୋଭିଡ୍ ସଂକ୍ରମିତଙ୍କ ପାଇଁ ପୂର୍ବଭଳି ବେଡ୍ ପ୍ରସ୍ତୁତ କରିବା ସହ ସର୍ଭିଲାନ୍ସ, ଟିକାକରଣ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆ ଯାଇଛି। ଆସନ୍ତା ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଉକ୍ତ କାର୍ଯ୍ୟରେ ନିୟୋଜିତ ରହିବେ । ସମସ୍ତଙ୍କୁ ଏଚଏସଏସ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରୁ ପାରିଶ୍ରମିକ ଦିଆଯିବ। ଡାକ୍ତର, ନର୍ସ, ଲ୍ୟାବ୍ ଟେକନିସିଆନ, ଫାର୍ମାସିଷ୍ଟ ଆଦି ପୂର୍ବଭଳି ପାରିଶ୍ରମିକ ଭତ୍ତା ପାଇବେ। ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ‘ନିର୍ମଳ ସ୍କିମ’ରୁ ଅର୍ଥ ଦେବାକୁ ପରାମର୍ଶ ଦିଆଯାଇଛି।
