ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ, ୧୧ ସୁଦ୍ଧା ଛୁଇଁବ ଉପକୂଳ
ଭୁବନେଶ୍ୱର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୩୬ ଘଂଟା ମଧ୍ୟରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୧୧ ତାରିଖ ସୁଦ୍ଧା ଏହା ତାମିଲନାଡ଼ୁ ଉପକୂଳକୁ ଛୁଇଁବ । ଫଳରେ ଆଜିଠୁ ତାମିଲନାଡ଼ୁ ଉପକୂଳରେ ଆଜିଠୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଲଘୁଚାପର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ନାହିଁ । ଆଗାମୀ ଦୁଇ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଲଘୁଚାପ ପ୍ରଭାବରେ ପୂର୍ବ ଦିଗରୁ ଉଷ୍ମ ଏବଂ ଆଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ଫଳରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ସମ୍ଭାବନା ରହିଛି ।
ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଏହି ଲଘୁଚାପ ଆସନ୍ତା ୩୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୧ ତାରିଖ ସକାଳେ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ । ଏହି ଡିପ୍ରେସନ ପ୍ରଭାବରେ ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁଁ ତାମିଲନାଡୁରେ ଗତ କିଛି ଦିନ ଧରି ଚାଲିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି । ଇତି ମଧ୍ୟରେ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ୫ ଜଣ ପ୍ରାଣ ହରାଇଛନ୍ତି । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ବ୍ୟକ୍ତ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ତଳୁଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଉଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି ।
