ଅଭାବନୀୟ ଘଟଣା : ନିଶା ଖାଇବାକୁ ବାରଣ କରିବାରୁ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ
ବାଲେଶ୍ୱର : ଘରୋଇ କଳହର କରୁଣ ପରିଣତି । ନିଶାସକ୍ତ ସ୍ୱାମୀଙ୍କୁ ନିଶା ଖାଇବାକୁ ସ୍ତ୍ରୀ ବାରଣ କରିବାରୁ ସ୍ୱାମୀ ନିଶାରେ ଥିବା ଅବସ୍ଥାରେ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିଂଲା ଥାନା ଅନ୍ତର୍ଗତ ସାଉଡ଼ି ପଞ୍ଚାୟତର ଛୟାଳିଆ ଗ୍ରାମରେ ।
ଏହି ଗ୍ରାମର ଗୋପାଳ ସରକାର ପ୍ରତ୍ୟେକଦିନ ନିଶା ସେବନ କରିଥାନ୍ତି । ନିଶା ସେବନକୁ ନେଇ ସ୍ୱାମୀଙ୍କୁ ସ୍ତ୍ରୀ କାଜଲ ବାରମ୍ବାର ବାରଣ କରନ୍ତି । କିନ୍ତୁ ସ୍ୱାମୀ ଗୋପାଳ ସ୍ତ୍ରୀ କଥା ନମାନି ପ୍ରତ୍ୟେକ ଦିନ ନିଶାସେବନ କରି ଘରକୁ ଆସିଥାନ୍ତି । ଫଳରେ ସ୍ତ୍ରୀଚଙ୍କ ମଧ୍ୟରେ ଝଗଡା଼ ମଧ୍ୟ ହୋଇଥାଏ । ମାତ୍ର ପ୍ରତ୍ୟେକ ଦିନ ପରି ସୋମବାର ସନ୍ଧ୍ୟାରେ ମଧ୍ୟ ଗୋପାଳ ନିଶାକରି ଘରକୁ ଆସିଥିବାବେଳେ ଘରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଓ ଝଗଡା଼ ଦେଖାଦେଇଥିଲା । ଫଳରେ ନିଶାସକ୍ତ ଅବସ୍ଥାରେ ଗୋପାଳ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ପେଟ୍ରୋଲ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେପଟେ ନିଆଁରେ ପୋଡ଼ି ହୋଇ ଗୋପାଳଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିବାର ଦୁଇଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ବାଧ୍ୟହୋଇ ପ୍ରାଇଭେଟ୍ ଗାଡ଼ିରେ ଗ୍ରାମବାସୀ ହସପିଟାଲ ନେବାକୁ ବାଧ୍ୟ ହୋଇଛନ୍ତି । ସରକାରୀ ଆମ୍ବୁଲାନ୍ସ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନ ପହଞ୍ଚିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିବା ସହ ସରକାରୀ ଜରୁରୀ ସେବାର ଏପରି ବିଳମ୍ବକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିଛନ୍ତିି ।
