ଆଜି ଛଟ୍ ପର୍ବ ! ଜାଣନ୍ତୁ ଏହା କାହିଁକି ପାଳନ କରାଯାଏ ଓ ବିଶେଷତ୍ତ୍ୱ
ଆଜି ଛଟ୍ ପର୍ବ । ଏଥିପାଇଁ ସବୁଠି ଉତ୍ସାହ। ଚାରିଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବ ଛଟ୍ ପୂଜା ନଭେମ୍ବର ୯ରୁ ଆରମ୍ଭ ହେଉଛି । ଏହି ଛଟ୍ ପୂଜାରେ ସୂର୍ଯ୍ୟ ଦେବଙ୍କୁ ପୂଜା ଓ ଆରାଧନା କରି ତାଙ୍କର କୃପା ଭିକ୍ଷା କରିଥାନ୍ତି ବ୍ରତଧାରୀ । ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦରୁ ଘରେ ଧନଧାନ୍ୟ ବୃଦ୍ଧି ହେବା ସହ ସମସ୍ତେ ନିରୋଗୀ ରୁହନ୍ତି । ତା ସହ ଛଟୀ ମାତାଙ୍କ ଆାଶୀର୍ବାଦରୁ ଉତ୍ତମ ସନ୍ତାନ ପ୍ରାପ୍ତ ହୁଏ । ଏହି ବ୍ରତ ସବୁଠୁ କଷ୍ଟ ଓ ଏହାର ନିୟମ ମଧ୍ୟ ଖୁବ କଠିନ। ସେଥିପାଇଁ ଖୁବ ନିଷ୍ଠା ଓ ଭକ୍ତିର ସହ ଏହି ଛଟ ପୂଜା ପାଳନ କରିଥାନ୍ତି ମହିଳା ମାନେ ।
ବିଶେଷକରି ହିନ୍ଦୀ ଭାଷାଭାଷି ଅଞ୍ଚଳର ଲୋକେ ଏହି ପର୍ବକୁ ଧୁମ୍ଧାମରେ ପାଳନ କରିଥାନ୍ତି। ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶରେ ଏହି ପର୍ବକୁ ପାଳନ କରିଥାନ୍ତି। ଓଡ଼ିଶାର କଟକ ଓ ଭୁବନେଶ୍ଵର ସମେତ ଅନ୍ୟ ସହରରେ ବସବାସ କରୁଥିବା ହିନ୍ଦୀ ଭାଷାଭାଷୀ ଲୋକମାନେ ଧୁମଧୁମ୍ରେ ଛଟ୍ ପର୍ବ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶନିବାର ଅପରାହ୍ନ ଏବଂ ରବିବାର ଭୋର ସମୟରେ କଟକର ମହାନଦୀ, କାଠଯୋଡି ଏବଂ ଭୁବନେଶ୍ଵର କୁଆଖାଇ ନଦୀରେ ଛଟ୍ ପର୍ବ ପାଳିବେ ଶ୍ରଦ୍ଧାଳୁ।
ହିନ୍ଦୀ ଭାଷାଭାଷୀ ଲୋକମାନଙ୍କର ଏକ ବଡ଼ ପର୍ବ ହେଉଛି ଛଟ୍। ପ୍ରତିବର୍ଷ ଦେଶବିଦେଶରେ ରହୁଥିବା ହିନ୍ଦୀ ଭାଷାଭାଷୀ ଲୋକ ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥାନ୍ତି। ପୂର୍ବରୁ ଏହି ପ୍ରାଚୀନ ହିନ୍ଦୁ ପର୍ବକୁ ବିଶେଷ ଭାବେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ନେପାଳ କିଛି ଅଂଶରେ ପାଳନ କରାଯାଉଥିଲା। ଧିରେ ଧିରେ ହିନ୍ଦୀ ଭାଷାଭାଷୀ ଲୋକ ଯେଉଁଠି ବସବାସ କଲେ, ସେଠାରେ ଛଟ୍ ପାଳନ କରାଗଲା। ଏହା ସାଧାରଣତ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀଙ୍କ ପୂଜା ଅଟେ। ପରିବାରର ମଙ୍ଗଳ ଏହି ପର୍ବ ପାଳନ କରାଯାଏ। ଏଥିରେ କୌଣସି ପ୍ରକାର ମୂର୍ତ୍ତି ପୂଜା କରାଯାଏ ନାହିଁ।
ଛଟ୍ ପୂଜା ଚାରି ଦିନ ବ୍ୟାପୀ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ଛଟ୍ ପୂଜା ସମୟରେ ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ କରିଥାନ୍ତି। ଏଥି ସହିତ ନଦୀ କୂଳରେ ପାଣି ଭିତରେ ଦୀର୍ଘ ସମୟ ଧରି ଛିଡ଼ା ହେବା ସହ ସୂର୍ଯ୍ୟ ଦେବତାଙ୍କୁ ପ୍ରସାଦ ଅର୍ପଣ କରିଥାନ୍ତି। ସୂର୍ଯ୍ୟ ଅସ୍ତ ଏବଂ ଉଦୟ ହେବା ବେଳେ ହିଁ ଏହି ପୂଜା କରାଯାଇଥାଏ। ଛଟ୍ ପୂଜା କରିବାକୁ କେତେକ ଲୋକେ ଭୋଗ ପସରା ଧରି ଶୋଭାଯାତ୍ରାରେ ନଦୀ କୂଳକୁ ଆସିଥାନ୍ତି। ଛଟ୍ ପର୍ବରେ ସାଧାରଣତଃ ଅଧିକରୁ ଅଧିକ ମହିଳା ଭକ୍ତ ସାମିଲ ହୋଇଥାନ୍ତି। ଏବେ ପୁରୁଷମାନେ ମଧ୍ୟ ଏହାକୁ ପାଳନ କରୁଛନ୍ତି। ଛଟ୍ ପୂଜା ଥରେ ଜଣେ ଭକ୍ତ ଆରମ୍ଭ କରିବା ପରେ ଏହାକୁ ପ୍ରତିବର୍ଷ ପାଳନ କରିଥାନ୍ତି। ତାଙ୍କ ପରେ ପରପୀଢିର ସଦସ୍ୟମାନେ ଏହାକୁ ପାଳନ କରିଥାନ୍ତି। ଛଟ୍ ପାଳନ ଅବସରରେ ଘରେ ଘରେ ଖିରି, ଲଡୁ, ଫଳ, ଲେମ୍ବୁ ଓ କଦଳୀ ଭୋଗ ଲାଗି ହୋଇଥାଏ।
କାହିଁକି ପାଳନ କରାଯାଏ ? :-
ଛଟ୍ ପର୍ବ ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ଏହା ବିଶ୍ୱାସ କରାଯାଇଥାଏ କି ସୂର୍ଯ୍ୟଦେବଙ୍କ ପୂଜା କରିବା ଦ୍ୱାରା ଉପବାସ ରଖିଥିବା ବ୍ୟକ୍ତିଙ୍କୁ ସୁଖ, ସୌଭାଗ୍ୟ ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହି ଦିନ କୌଣସି ନଦୀ କିମ୍ବା ପୋଖରୀରେ ଛିଡା ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ।
ଏହି ପର୍ବ ହିନ୍ଦୁ ଭକ୍ତିର ବଡ ପର୍ବ। ଏହି ଉପବାସ ସହ ଜଡିତ ଅନେକ ମାନ୍ୟତା ମଧ୍ୟ ରହିଛି। ଏହି ପର୍ବର ଆରମ୍ଭ ମହାଭାରତ ଯୁଗରୁ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ଉଲ୍ଲେଖ ଅନୁଯାୟୀ ମହାଭାରତ କାଳରେ ଯେତେବେଳେ ପାଣ୍ଡବ ନିଜର ସମସ୍ତ ରାଜପାଟ ଜୁଆରେ ହାରିଯାଇଥିଲେ ସେହି ସମୟରେ ଦ୍ରୋପଦୀ ଏହି ଚାରି ଦିନ ଉପବାସ ରଖିଥିଲେ।
ଏହି ପର୍ବରେ ଭଗବାନ ସୂର୍ଯ୍ୟଙ୍କ ଉପାସନା କରି ମନୋକାମନାରେ ନିଜର ରାଜପାଟ ପୂନର୍ବାର ମାଗିଥିଲେ। ଏଥିସହ ଅନ୍ୟ ଏକ ମାନ୍ୟତା ଅନୁଯାୟୀ ଏହି ଛଟ୍ ପର୍ବର ଆରମ୍ଭ ମହାଭାରତ ସମୟରୁ ହିଁ କରାଯାଉଛି। ଭଗବାନ କର୍ଣ୍ଣ ସୂର୍ଯ୍ୟଙ୍କର ପରମ ଭକ୍ତ ଥିଲେ ଏବଂ ପାଣିରେ ଘଣ୍ଟା ଘଣ୍ଟା ଛିଡା ହୋଇ ସୂର୍ଯ୍ୟଙ୍କ ଉପାସନା କରିଥିଲେ। ଯାହାଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ତାଙ୍କୁ ମହାନ୍ ଯୋଦ୍ଧା ହେବାର ଆଶୀର୍ବାଦ ଦେଇଥିଲେ।
ପ୍ରାଚୀନ କଥା ଅନୁଯାୟୀ ମାତା ସୀତା ଛଟ୍ ପୂୂଜା କରିଥିଲେ। ପୌରାଣିକ କଥା ଅନୁଯାୟୀ ୧୪ ବର୍ଷ ବନବାସ ପରେ ଯେତେବେଳେ ଭଗବାନ ରାମ ଅଯୋଧ୍ୟା ଫେରିଥିଲେ ସେତେବେଳେ ରାବଣ ବଧ ପାପରୁ ମୁକ୍ତ ହେବା ପାଇଁ ଋଷି-ମୁନିଙ୍କ ଆଦେଶ ପରେ ରାଜସୁୟ ଜଜ୍ଞ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମୁଗ୍ଦଲ ଋଷିଙ୍କୁ ଆମନ୍ତ୍ରଣ କରାଯାଇଥିଲା କିନ୍ତୁ ମୁଗ୍ଦଲ ଋଷି ଭଗବାନ ରାମ ଏବଂ ସୀତାଙ୍କୁ ନିଜ ଆଶ୍ରମରେ ଆସିବାକୁ ଆଦେଶ ଦେଇଥିଲେ।
ଋଷିଙ୍କ ଆଜ୍ଞାରେ ଭଗବାନ ରାମ ଏବଂ ସୀତା ସ୍ୱୟଂ ଏଠାକୁ ଆସିଥିଲେ ଏବଂ ତାଙ୍କୁ ଏହି ପୂଜା ବିଷୟରେ କୁହାଯାଇଥିଲା। ମୁଗ୍ଦଲ ଋଷି ମାଁ ସୀତାଙ୍କ ଉପରେ ଗଙ୍ଗା ପାଣି ଛିଞ୍ଚି ପବିତ୍ର କରିଥିଲେ ଏବଂ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସୂର୍ଯ୍ୟଦେବଙ୍କ ଉପାସନା କରିବା ପାଇଁ ଆଦେଶ ଦେଇଥିଲେ। ଏହାପରେ ମାତା ସୀତା ଏଠାରେ ରହି ୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କ ପୂଜା କରିଥିଲେ।
