୨୯ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା ୨୯ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ । ଏଥିପାଇଁ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ସୁପାରିଶ କରିଛି । ପୂର୍ବ କିଛି ଅଧିବେଶନ ପରି ଏହି ଅଧିବେଶନ ମଧ୍ୟ କୋଭିଡ କଟକଣା ଅନୁପାଳନ ପୂର୍ବକ ହେବ ।
ସୂଚନା ଯେ, ଗତବର୍ଷ ମହାମାରୀ କରୋନା ଯୋଗୁଁ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହୋଇନଥିଲା । ଏପରିକି ମହାମାରୀ ଯୋଗୁଁ ବଜେଟ ଓ ମୌସୁମୀ ଅଧିବେଶନକୁ କାଣ୍ଟଛାଣ୍ଟ କରିବାକୁ ପଡ଼ିନଥିଲା । ଆଗାମୀ ଅଧିବେଶନ ପାଇଁ କୋଭିଡ୍ କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯିବ । ଯେଉଁ ସଦସ୍ୟମାନେ ଅଧିବେଶନରେ ଯୋଗ ଦେବେ ଅଧୁବେଶନ ପୂର୍ବରୁ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ରାଜନୈତିକ ଦୃଷ୍ଟିକୋଣରୁ ଏହି ଅଧିବେଶନକୁ ବେଶ ଗୁରୁତ୍ବ ଦିଆଯାଉଛି । କାରଣ ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଅଧିବେଶନ ବସୁଛି ।
