ଆଜି ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବେ
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସୀମାବିବାଦ, ପୋଲାଭରମ ଜଳ ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗର ଆଶୁ ସମାଧାନ ଦିଗରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଲୋଚନା ହେବ । ଏନେଇ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟିର ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ସେ ଅପରାହ୍ଣ ସାଢେ ୩ଟାରେ ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ବିମାନଯୋଗେ ଆସି ସାଢେ ୪ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ସେ ସିଧାସଳଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଅପରାହ୍ଣ ୫ଟାରୁ ୭ ଟାପର୍ଯ୍ୟନ୍ତ ଚାଲିବ । ଏହି ବୈଠକ ସାରି ସେ ସିଧାସଳଖ ଆନ୍ଧ୍ରପ୍ରଦେଶ ଫେରିଯିବେ ।
ସୂଚନା ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ନବୀନ ନିବାସ ଅଭିମୁଖେ ଗସ୍ତ କରିବେ । ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ । ବିଶେଷକରି ପୋଲାଭରମ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପରିବାର ଓ ଜଳମଗ୍ନ ଅଂଚଳ, ବଂଶଧାରାରେ ନେରେଡି ବ୍ୟାରେଜ୍ ନିର୍ମାଣ ଓ ଝଞ୍ଜାବତୀ ଜଳଭଣ୍ଡାରର ବନ୍ୟା ଜଳ ସମସ୍ୟାକୁ ନେଇ ରହିଥିବା ଦୁଇ ରାଜ୍ୟ ମଧ୍ୟରେ ବିବାଦ ପ୍ରସଙ୍ଗରେ ଆଲୋଚନା ହେବ ।
