ୱାଙ୍ଖଡ଼େଙ୍କ ପିତାଙ୍କ ଆବେଦନ ଉପରେ ମନ୍ତ୍ରୀ ନବାବ ମଲ୍ଲିକଙ୍କୁ ହାଇକୋର୍ଟଙ୍କ ନୋଟିସ
ମୁମ୍ବାଇ : ବମ୍ବେ ହାଇକୋର୍ଟ ସୋମବାର ମହାରାଷ୍ଟ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନବାବ ମଲିକଙ୍କୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ପିତା ଜ୍ଞାନଦେବ ୱାଙ୍ଖଡ଼େଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ନୋଟିସ ଜାରି କରିଛନ୍ତି । ମଙ୍ଗଳବାର ପର୍ଯ୍ୟନ୍ତ ତାଙ୍କୁ ଏକ ଆଫିଡେଭିଟ୍ ଦାଖଲ କରି ଉତର ଦେବାକୁ ସମୟ ଦିଆଯାଇଛି । ପରବର୍ତୀ ଶୁଣାଣୀ ନଭେମ୍ବର ୧୦ରେ ହେବ ।
କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟିରେ ଏନସିବି ଆକ୍ରମଣ ପରେ ନବାବ ମଲିକ କ୍ରମାଗତ ଭାବେ ଏନସିବିର କାର୍ଯ୍ୟକାଳାପ ଉପରେ ପ୍ରଶ୍ନ କରୁଛନ୍ତି । ମଲିକ ଏନସିବି ଦଳର ନେତୃତ୍ୱ ନେଇଥିବା ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ପାରିବାରିକ ଜୀବନ ବିଷୟରେ ମଧ୍ୟ ଅନେକ ଦାବି କରିଛନ୍ତି । ଏଥିରେ ରାଗିଯ୍ଧବ ସମୀରଙ୍କ ପିତା ଜ୍ଞାନଦେବ ୱାଙ୍ଖଡ଼େ ନବାବ ମଲିକଙ୍କ ବିରୋଧରେ ୧.୨୫ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି । ଜ୍ଞାନଦେବ ୱାଙ୍ଖଡ଼େଙ୍କ ଓକିଲ ଅର୍ଶଦ ଶେଖ ହାଇକୋର୍ଟଙ୍କୁ କହିଛନ୍ତି ଯେ, ସମୀର ୱାଙ୍ଖଡ଼େ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ନବାବ ମଲିକ ବାରମ୍ବାର ମିଥ୍ୟା ଏବଂ ଭିତିହୀନ ଅଭିଯୋଗ କରୁଛନ୍ତି । ଏହା ତାଙ୍କ ପରିବାର ପ୍ରତି ଅସମ୍ମାନ ଆଣିଛି । ସମୀର ୱାଙ୍ଖଡ଼େଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ନବାବ ମଲିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅର୍ଶଦ ଶେଖ ଦାବି କରିଛନ୍ତି । ନବାବ ମଲିକଙ୍କ ଓକିଲ ଅତୁଲ ଦାମଲେ କହିଛନ୍ତି ଯେ, ରବିବାର ଦିନ ସେ ଏହି ମାମଲା ସମ୍ପର୍କରେ ନୋଟିସ ଗ୍ରହଣ କରିଛନ୍ତି । ତେଣୁ ଆଫିଡେଭିଟି ଉପସ୍ଥାପନ କରିବାକୁ ୧୫ ଦିନ ସମୟ ଦିଆଯିବା ଉଚିତ୍ । ଜଷ୍ଟିସ୍ ଜାମଦାର କହିଛନ୍ତି ଯେ, ନବାବ ମଲିକଙ୍କୁ ମଙ୍ଗଳବାର ସୁଦ୍ଧା ଏ ସମ୍ପର୍କରେ ଏକ ଆଫିଡେଭିଟି ଉପସ୍ଥାପନ କରିବାକୁ ପଡ଼ିବ । ଜଷ୍ଟିସ୍ ଜାମଦାର ନବାବ ମଲିକଙ୍କ ବିବୃତିରେ ରୋକ୍ ଲଗାଇଛନ୍ତି ।
