ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଂଟିବା ଠାରୁ ମମିତାଙ୍କୁ ନ୍ୟାୟ ଦେବା ବେଶୀ ଜରୁରୀ : ସନ୍ତୋଷ ସିଂହ ସାଲୁଜା
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା କଂଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ଠାରୁ ମମିତାକୁ ନ୍ୟାୟ ଦେବା ବେଶୀ ଜରୁରୀ ।
ଶ୍ରୀ ସାଲୁଜା ମମିତାଙ୍କ ପରିବାର ପକ୍ଷରୁ ତଦନ୍ତ ନେଇ ସନ୍ତୋଷ ବ୍ୟକ୍ତ କରାଯିବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ପୋଲିସ ଚାପରେ ସ୍ୱର ବଦଳାଉଛନ୍ତି ମମିତାଙ୍କ ପରିବାର । ପ୍ରଥମ ଦିନରୁ ହିଁ ତାଙ୍କ ଉପରେ ଚାପ ରହିଛି । ସେମାନେ ନିଜ ଜୀବନକୁ ନେଇ ଭୟଭୀତ ବୋଲି ଶ୍ରୀ ସାଲୁଜା କହିଛନ୍ତି । ସେ କହିଛନ୍ତି ଯେ ମମିତା ହତ୍ୟାକାଣ୍ଡ ଘଟଣାକୁ ଗୋଟିଏ ମାସ ପୁରିବାକୁ ବସିଲାଣି । ଏପର୍ଯ୍ୟନ୍ତ ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କଲା ନାହିଁ । ଅପରାଧୀ ଯେତେ ଚାଲାକ ହେଲେ ବି ସୁରାକ ଛାଡି କି ଯାଏ । ସେ ଆହୁରି କହିଛନ୍ତି ଯେ , ଏବେ ବି ରାୟପୁରରେ କିଛି ରାଜ ରହିଛି । ପେନ ଡ୍ରାଇଭରେ ବହୁ ତଥ୍ୟ ଲୁଚିକି ରହିଛି । ମମିତା ଏବେ ସାରା ଓଡିଶାର ଝିଅ । ତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।
