ଭାରତର ସେମି ଆଶା ମଉଳିଲା : ଆଫଗାନିସ୍ତାନକୁ ୮ ଉଇକେଟ୍ରେ ହରାଇ ସେମିଫାଇନାଲରେ ନ୍ୟୁଜିଲାଣ୍ଡ
ଆବୁଧାବି: ଆଇସିସି ଟି-୨୦ବିଶ୍ୱକପ୍ ଗ୍ରୁପ୍-୨ର ରବିବାର ଆବୁଧାବିରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରବିବାର ଆଫ୍ଗାନିସ୍ତାନକୁ ୮ ଓ୍ଵିକେଟ୍ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଏଥି ସହିତ ନ୍ୟୁଜିଲାଣ୍ଡ ୪ର୍ଥ ଟିମ୍ ଭାବେ ଚଳିତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍କୁ ପ୍ରବେଶ କରିଛି। ପୂର୍ବରୁ ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି। ଏଥି ସହିତ ଭାରତର ସେମିଫାଇନାଲ ମ୍ୟାଚ୍ ଖେଲିବା ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ଭାରତ ନଭେମ୍ବର ୮ରେ ନାମିବ୍ୟା ବିପକ୍ଷରେ ଔପଚାରିକ ଭାବେ ମ୍ୟାଚ୍ ଖେଳିବ।
ଗ୍ରୁପ-୨ର ସୁପର-୧୨ ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ଆଫ୍ଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ଆଫ୍ଗାନିସ୍ତାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୨୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୧୨୪ ରନ୍ କରିଥିଲା। ଆଫ୍ଗାନିସ୍ତାନ ପାଇଁ ନଜିବୁଲ୍ଲା ଜଦ୍ରାନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୮ଟି ବଲ୍ ଖେଳି ୭୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଜେମ୍ସ ନିସାମ୍ଙ୍କ ଦ୍ୱାରା ନଜିବୁଲ୍ଲା ଜଦ୍ରାନ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଫଗାନିସ୍ତାନ ପାଇଁ ହଜ୍ରତୁଲ୍ଲା ଜଜାଇ ଓ ମହମ୍ମଦ ସେହଜାଦ୍ ଇନିଂସ ଆରମ୍ଭ କରିଥିଲେ। ସ୍କୋର ୮ ରନ୍ରେ ଅର୍ଥାତ ୩ୟ ଓଭରର୨ୟ ବଳରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ମହମ୍ମଦ ସେହଜାଦ୍ ୧୧ଟି ବଲ ଖେଳି କେବଳ ଗୋଟିଏ ଚୌକା ମାରି ପାଭଲିଅନ୍ ଫେରିଯାଇଥିଲେ। ପଡ଼ିଆରେ ତାଙ୍କର ସ୍ଥାନ ପୂରଣ କରିବାକୁ ଆସିଥିଲେ ରହମାନୁଲ୍ଲା। ହଜ୍ରତୁଲ୍ଲା ୪ଟି ବଲ୍ର ସମ୍ମୁଖୀନ ହୋଇ ୨ ରନ୍ କରିଥିଲେ। ସେହିପରି ୯ଟି ବଲ ଖେଳି ୬ ରନ୍ ଯୋଡ଼ିବା ପରେ ରହମାନୁଲ୍ଲା ମଧ୍ୟ ପଡ଼ିଆରୁ ବିଦାୟ ନେଇଥିଲେ। ନ୍ୟୁାଜିଲାଣ୍ଡର ଦମ୍ଦାର ବୋଲିଂ ଯୋଗୁଁ ଆଫ୍ଗାନିସ୍ତାନ ୧୯ ରନ୍ ବେଳକୁ ଆଗଧାଡ଼ିର ୩ ଜଣଙ୍କୁ ହରାଇ ସାରିଥିଲା। ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ଗୁଲବଦିନ୍ ନାଏବ୍। ସେ ୧୮ଟି ବଲ୍ ଖେଳି ଗୋଟିଏ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୧୫ ରନ୍ କରିଥିଲେ। ଆଫଗାନିସ୍ତାନ ୫ମ ଓ୍ଵିକେଟ୍ ଭାବେ ଅଧିନାୟକ ମହମ୍ମଦ ନବିଙ୍କୁ ହରାଇଥିଲା। ନବି ୧୫ ରନ୍ କରିଥିଲେ। ସେ ଏଥି ପାଇଁ ୧୮ଟି ବଲ୍ ଖେଳି ଗୋଟିଏ ଚୌକା ମାରିଥିଲେ। କରିମ ଜନ୍ନତ ୨ ରନ୍, ରସିଦ୍ ଖାନ୍ ୩ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ଟିମ୍ ସାଉଦୀଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ଆଦାମ୍ ମିଲ୍ନେ, ଜେମ୍ସ ନିସାମ୍ ଓ ଈଶ ସୋଢ଼ିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୨୫ ରନ୍ର ଲକ୍ଷ୍ୟ ମିଳିଥିଲା।
ଆଫଗାନିସ୍ତାନ ଦ୍ୱାରା ମିଳିଥିବା ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୮.୧ ଓଭରରେ ୨ଟି ଓ୍ଵିକେଟ୍ ହରାଇ ୧୨୫ ରନ୍ କରିଛି। ନ୍ୟୁଜିଲାଣ୍ଡର ଏହି ବିଜୟରେ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ ହିରୋ ସାଜିଛନ୍ତି। ଓ୍ଵିଲିୟମ୍ସନ୍ ୪୨ଟି ବଲ ଖେଳି ଅପରାଜିତ ୪୦ ରନ୍ କରିଛନ୍ତି। ଏଥିରେ ସେ ୩ଟି ଚୌକା ମାରିଛନ୍ତି। ଏତଦ୍ ବ୍ୟତୀତ ଡେଭନ୍ କନୱେ୍ଵ ୩୨ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୩୬ ରନ୍ କରିଛନ୍ତି। ସ୍କୋର ୨୬ ରନ୍ ଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ୪ର୍ଥ ଓଭରର ପ୍ରଥମ ବଲ୍ରେ ମୁଜୀବ୍ ଉର ରହମାନ୍, ଡେରିଲ ମିଚେଲ (୧୭)ଙ୍କୁ ମହମ୍ମଦ ସେହଜାଦ୍ ହାତରେ କ୍ୟାଚ୍ କରାଇଥିଲେ। ଆଫ୍ଗାନିସ୍ତାନର ୨ୟ ଶିକାର ହୋଇଥିଲେ ମାର୍ଟିନ ଗପଟଲ୍। ସେ ୨୩ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୨୮ ରନ୍ କରିଥିଲେ।
