ଟି-୨୦ ବିଶ୍ୱକପ୍ : ନ୍ୟୁଜିଲାଣ୍ଡକୁ ୧୨୫ ରନ୍ର ବିଜୟ ଲକ୍ଷ୍ୟ ଦେଲା ଆଫ୍ଗାନିସ୍ତାନ
ଆବୁଧାବି : ଆଇସିସି ଟି-୨୦ବିଶ୍ୱକପ୍ ଗ୍ରୁପ୍-୨ର ରବିବାର ଆବୁଧାବିରେ ଏକ ମ୍ୟାଚରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୨୪ ରନ୍ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୨୫ ରନ୍ର ଲକ୍ଷ୍ୟ ମିଳିଛି।
ଆଫ୍ଗାନିସ୍ତାନ ପାଇଁ ନଜିବୁଲ୍ଲା ଜଦ୍ରାନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୮ଟି ବଲ୍ ଖେଳି ୭୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଜେମ୍ସ ନିସାମ୍ଙ୍କ ଦ୍ୱାରା ନଜିବୁଲ୍ଲା ଜଦ୍ରାନ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଫଗାନିସ୍ତାନ ପାଇଁ ହଜ୍ରତୁଲ୍ଲା ଜଜାଇ ଓ ମହମ୍ମଦ ସେହଜାଦ୍ ଇନିଂସ ଆରମ୍ଭ କରିଥିଲେ। ସ୍କୋର ୮ ରନ୍ରେ ଅର୍ଥାତ ୩ୟ ଓଭରର୨ୟ ବଳରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ମହମ୍ମଦ ସେହଜାଦ୍ ୧୧ଟି ବଲ ଖେଳି କେବଳ ଗୋଟିଏ ଚୌକା ମାରି ପାଭଲିଅନ୍ ଫେରିଯାଇଥିଲେ। ପଡ଼ିଆରେ ତାଙ୍କର ସ୍ଥାନ ପୂରଣ କରିବାକୁ ଆସିଥିଲେ ରହମାନୁଲ୍ଲା। ହଜ୍ରତୁଲ୍ଲା ୪ଟି ବଲ୍ର ସମ୍ମୁଖୀନ ହୋଇ ୨ ରନ୍ କରିଥିଲେ। ସେହିପରି ୯ଟି ବଲ ଖେଳି ୬ ରନ୍ ଯୋଡ଼ିବା ପରେ ରହମାନୁଲ୍ଲା ମଧ୍ୟ ପଡ଼ିଆରୁ ବିଦାୟ ନେଇଥିଲେ। ନ୍ୟୁାଜିଲାଣ୍ଡର ଦମ୍ଦାର ବୋଲିଂ ଯୋଗୁଁ ଆଫ୍ଗାନିସ୍ତାନ ୧୯ ରନ୍ ବେଳକୁ ଆଗଧାଡ଼ିର ୩ ଜଣଙ୍କୁ ହରାଇ ସାରିଥିଲା। ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ଗୁଲବଦିନ୍ ନାଏବ୍। ସେ ୧୮ଟି ବଲ୍ ଖେଳି ଗୋଟିଏ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୧୫ ରନ୍ କରିଥିଲେ। ଆଫଗାନିସ୍ତାନ ୫ମ ଓ୍ଵିକେଟ୍ ଭାବେ ଅଧିନାୟକ ମହମ୍ମଦ ନବିଙ୍କୁ ହରାଇଥିଲା। ନବି ୧୫ ରନ୍ କରିଥିଲେ। ସେ ଏଥି ପାଇଁ ୧୮ଟି ବଲ୍ ଖେଳି ଗୋଟିଏ ଚୌକା ମାରିଥିଲେ। କରିମ ଜନ୍ନତ ୨ ରନ୍, ରସିଦ୍ ଖାନ୍ ୩ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ଟିମ୍ ସାଉଦୀଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ଆଦାମ୍ ମିଲ୍ନେ, ଜେମ୍ସ ନିସାମ୍ ଓ ଈଶ ସୋଢ଼ିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
