ଚେନ୍ନାଇରେ ଅତି ପ୍ରବଳ ବର୍ଷା : ପ୍ରାରମ୍ଭିକ ବନ୍ୟା ସତର୍କ ସୂଚନା
ଚେନ୍ନାଇ : ଚେନ୍ନାଇରେ ଶନିବାର ରାତିରୁ ରବିବାର ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଚେନ୍ନାଇ ନଗର ଓ ଉପନଗର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଲୋକଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ୨୦୧୫ ପରେ ଏହା ହେଉଛି ଚେନ୍ନାଇରେ ସବୁଠୁ ଅଧିକ ବୃଷ୍ଟିପାତ। ସହରରେ ଥିବା ଦୁଇଟି ଜଳଭଣ୍ଡାର ଖୋଲା ଯିବାର ସମ୍ଭାବନା ଉପୁଜିଥିବାରୁ ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ ପ୍ରାରମ୍ଭିକ ବନ୍ୟା ସତର୍କ ସୂଚନା ଜାରି କରିଛନ୍ତି।
ତାମିଲନାଡୁର ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍ ଟୁଇଟ୍ କରି କହିଛନ୍ତି, ଆରବ ସାଗରରେ ଗୋଟାଏ ଲଘୁଚାପ ହୋଇଛି ଏବଂ ଆଣ୍ଡାମାନ ସାଗରରେ ହେବାକୁ ଥିବା ଆଉ ଏକ ଲଘୁଚାପ ଯୋଗୁଁ ଏଠାରେ ପ୍ରବଳ ବର୍ଷା ହେବ। ପ୍ରବଳ ବର୍ଷାରେ ବିଶେଷକରି, ଉତ୍ତର କେନ୍ଦ୍ରୀୟ ଚେନ୍ନାଇ ରାସ୍ତାଘାଟରେ ପାଣି ଜମିଥିବା ଦୃଶ୍ୟସମ୍ବଳିତ ଫଟୋ ସାମାଜିକ ଗଣମାଧ୍ୟମରେ ଲୋକେ ପୋଷ୍ଟ୍ କରିଛନ୍ତି। ବହକା ବର୍ଷାଜଳ ବାହାର କରିଦେବା ପାଇଁ ଚେନ୍ନାଇ ପାଇଁ ଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳ ଉତ୍ସ ‘ଚେମ୍ବରମ୍ବକ୍କମ୍’ ଏବଂ ‘ପୁଝଲ’ ଜଳଭଣ୍ଡାର ଖୋଲାଯିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ଘୋଷଣା କରିଛନ୍ତି। ଏଥିଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଘୋଷଣା କରି ରାଜ୍ୟ ଜଳ ସମ୍ପଦ କର୍ତ୍ତୃପକ୍ଷମାନେ ତଳିଆ ଅଞ୍ଚଳରେ ଥିବା ଘରେ ବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ଲାଗି କାଞ୍ଚିପୁରମ୍ ଓ ତିରୁବଲ୍ଲୁର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।
