ଦେଶରେ ଆଉ ୧୦,୮୫୩ କରୋନା ସଂକ୍ରମିତ ଚିହ୍ନଟ ଓ ୫୨୬ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୧୦ରୁ ୨୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୧ ହଜାରରୁ କମ୍ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ରୁ ଅଧିକ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ରବିବାର ଗତ ୨୪ଘଣ୍ଟାରେ ୧୦ହଜାର ୮୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧୨ହଜାର ୪୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୩ଲକ୍ଷ ୫୫ହଜାର ୫୩୬କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୬୦ହଜାର ୭୯୧ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୭ଲକ୍ଷ ୪୯ହଜାର ୯୦୦ ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୪୪ହଜାର ୮୪୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ୨୬୦ ଦିନ ମଧ୍ୟରେ ଏହା ହେଉଛି ଦେଶରେ ସବୁଠୁ କମ୍ ସକ୍ରିୟ ସଙ୍କ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୦୮,୨୧,୬୬,୩୬୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୨୯,୪୬,୮୧୯ ଡୋଜ୍ ଟିକା। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ନଭେମ୍ବର ୬ ତାରିଖ ସୁଦ୍ଧା ସମୁଦାୟ ୬୧,୪୮,୮୫,୭୪୭ ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଛି ୯,୧୯,୯୯୬ଟି ନମୁନା।
