ଟି-୨୦ ବିଶ୍ୱକପ୍ : ସେମିଫାଇନାଲ୍ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ
ଦୁବାଇ : ଆଇସିସି ଟି-୨୦ ବିଶ୍ୱକପ୍ ଗ୍ରୁପ୍-୧ରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାର ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ଶେଷ ଲିଗ୍ ଚାଲିଥିବା ବେଳେ ଏହା ନିଶ୍ଚିତ ହୋଇଥିଲା। କର ବା ମର ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକା ପୂର୍ବ ବିଜେତା ଇଂଲଣ୍ଡକୁ ୧୯୦ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। କିନ୍ତୁ ଫଳାଫଳ ବାହାରିବା ପୂର୍ବରୁ ସେମିଫାଇନାଲ୍ ସ୍ଥାନ ପକ୍କା ହୋଇଯାଇଥିଲା। ଇଂଲଣ୍ଡ ୮୭ ରନ୍ ଅତିକ୍ରମ କରିବାବେଳେ ନିଜେ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲା। ସେହିଭଳି ୧୩୧ ରନ୍ ଟପିବାବେଳେ ଉନ୍ନତ ଏନ୍ଆର୍ଆର୍ କାରଣରୁ ଅଷ୍ଟ୍ରେଲିଆର ସେମିଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଥିଲା। ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଚମତ୍କାର କ୍ରିକେଟ୍ ଖେଳି ସମାନ ୮ ପଏଣ୍ଟ ଲେଖାଏଁ ପାଇଥିଲେ। କିନ୍ତୁ ଏନ୍ଆର୍ଆର୍ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ଦେବାରୁ ତେମ୍ବା ବଭୁମାଙ୍କ ଦଳ ସେମିଫାଇନାଲ୍ ପହଞ୍ଚି ପାରିଲା ନାହିଁ।
ଶେଷ ଲିଗ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୧୦ ରନ୍ରେ ହରାଇ ଦେଇଥିଲେ ମଧ୍ୟ ଏନ୍ଆର୍ଆର୍ରେ ପଛରେ ପଡ଼ି ସେମିଫାଇନାଲ୍ ପୂର୍ବରୁ ବିଦାୟ ନେଇଛି। ୧୯୦ ରନ୍କୁ ପିଛା କରିଥିବା ଇଂଲଣ୍ଡ ପାଇଁ ଜାସନ୍ ରୟ, ଜୋସ୍ ବଟଲର୍, ଦାୱିଦ ମଲାନ, ମୋଇନ୍ ଅଲୀ, ଲିଆମ୍ ଲିଭିଙ୍ଗଷ୍ଟୋନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ଓଭରରୁ ଇଂଲଣ୍ଡକୁ ୧୪ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ରବାଦାଙ୍କ ହ୍ୟାଟ୍ରିକ୍ ଏହା କରାଇ ଦେଇନଥିଲା। ଦକ୍ଷିଣ ଆଫ୍ରିକାର ୧୮୯/୨ ଜବାବରେ ଇଂଲଣ୍ଡ ୧୭୯/୮ରେ ସୀମିତ ରହିଥିଲା। ଚଳିତ ବିଶ୍ବକପ୍ରେ ଇଂଲଣ୍ଡର ଅପରାଜେୟ ଧାରାକୁ ମଧ୍ୟ ଦକ୍ଷିଣ ଆଫ୍ରିକା ଭାଙ୍ଗି ଦେଇଥିଲା। ରାଶି ଭାନ୍ ଡେର୍ ଦସେଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
