ଟି-୨୦ ବିଶ୍ୱକପ୍ : ଶେଷ ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆର ସହଜ ବିଜୟ
ଆବୁଧାବି : ଟି-୨୦ ବିଶ୍ବକପରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ବାହିନୀ। ପ୍ରଥମେ ବ୍ୟାଟିଂ ପରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା ଓ୍ବେଷ୍ଟଇଣ୍ଡିଜ । ଜବାବରେ ୧୬.୨ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଅଧିନାୟକ ଆରୋନ୍ ଫିଞ୍ଚ ୯ରନ କରି ସହଳ ଆଉଟ ହୋଇଥିଲେ ସୁଦ୍ଧା ଡେଭିଡ୍ ଓ୍ବାର୍ଣ୍ଣର କମାଲ କରିଛନ୍ତି । ବିସ୍ଫୋରକ ବ୍ୟାଟିଂକରି ୫୬ ବଲ ଖେଳି ୯ ଚୌକା ଏବଂ ୪ ଛକା ସହାୟତାରେ ୮୯ ରନ କରି ଅପରାଜିତ ଅଛନ୍ତି ଡେଭିଡ୍ ଓ୍ବାର୍ଣ୍ଣର । ମିଚେଲ ମାର୍ସ ୩୨ ବଲ ଖେଳି ୫ ଚୌକା ଏବଂ ୨ଛକା ସହାୟତାରେ ୫୩ରନକରି ଆଉଟ ହୋଇଛନ୍ତି । ଗ୍ଲେନ୍ ମାକ୍ସଓ୍ବେଲ ୦ ରନ କରି ଅପରାଜିତ ଅଛନ୍ତି । ଏହି ବିଜୟ ସହ ଅଷ୍ଟ୍ରେଲିଆ ୮ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।
ଇଣ୍ଡିଜର ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଆକେଲ ହୋସେନ ୪ ଓଭରରେ ୨୯ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଡ୍ବେନ୍ ବ୍ରାଭୋ ୪ ଓଭରରେ ୩୬ରନ, ରୋଷ୍ଟନ୍ ଚେଜ୍ ୧.୨ ଓଭରରେ ୧୭ ରନ, ଜେସନ୍ ହୋଲଡର ୨ ଓଭରରେ ୨୬ରନ ଦେଇଛନ୍ତି । ସେହିଭଳି ହେଡେନ୍ ଓ୍ବାଲସ୍ ୨ ଓଭରରେ ୧୮ରନ, ରସେଲ ୨ ଓଭରରେ ୨୫ରନ ଏବଂ କ୍ରିସ୍ ଗେଲ ୧ ଓଭରରେ ୭ରନ ଦେଇ ୧ ଓ୍ବିକେଟ ନେଇଛନ୍ତି । ୫ ମ୍ୟାଚ ଖେଳି ଓ୍ବେଷ୍ଟଇଣ୍ଡିଜ ମାତ୍ର ଗୋଟିଏରେ ହିଁ ବିଜୟୀ ହେବାରେ ସକ୍ଷମ ହୋଇଛି । କେବଳ ବାଂଲାଦେଶକୁ ଛାଡି ଗ୍ରୁପ-୧ରେ ଥିବା ଅନ୍ୟ ସମସ୍ତ ଦଳଙ୍କ ଠାରୁ ପରାଜିତ ହୋଇଛି ଇଣ୍ଡିଜ୍ । ଯାହା ଫଳରେ ଦଳ ମାତ୍ର ୨ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହି ନିଜର ବିଶ୍ବକପ ଅଭିଯାନ ଶେଷ କରିଛି ।
