କ୍ରମାଗତ ତୃତୀୟ ଦିନ ପାଇଁ ଦିଲ୍ଲୀର ବାୟୁ ମାନ ‘ବିପଜ୍ଜନକ’
ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ମାନ ‘ବିପଜ୍ଜନକ’ ବର୍ଗରେ। ‘ସିଷ୍ଟମ୍ ଏୟାର୍ କ୍ବାଲିଟି ଆଣ୍ଡ୍ ୱେଦର୍ ଫୋର୍କାଷ୍ଟିଙ୍ଗ୍ ଆଣ୍ଡ୍ ରିସର୍ଚ’ (ସଫର୍) ପ୍ରଦାନ କରିଥିବା ତଥ୍ୟ ଅନୁସାରେ, କ୍ରମାଗତ ତୃତୀୟ ଦିନ ପାଇଁ ତଥା ରବିବାର ସକାଳେ ଦିଲ୍ଲୀର ବାୟୁ ମାନ ବା ‘ଏୟାର୍ କ୍ବାଲିଟି ଇଣ୍ଡେକ୍ସ୍’ (ଏକ୍ୟୁଆଇ) ୩୪୬ରେ ରହିଛି। ‘ସଫର’ ତଥ୍ୟାବଳୀ ଅନୁସାରେ, ଆଜି ବାୟୁର ମାନ ସାମାନ୍ୟ ଉନ୍ନତ ହୋଇଥିଲେ ମଧ୍ୟ ‘ବିପଜ୍ଜନକ’ ସ୍ଥିତିରେ ରହିଛି। ବୃଦ୍ଧି ପାଉଥିବା ପ୍ରଦୂଷଣ ମାତ୍ରା ହ୍ରାସ ଓ ଧୂଳି ବସିବା ପାଇଁ ସହରରେ ଜଳ ସିଞ୍ଚନ ପାଇଁ ଦିଲ୍ଲୀ ସରକାର ୧୪୪ଟି ପାଣି ଟ୍ୟାଙ୍କର୍ ମୁତୟନ କରିଛନ୍ତି।
ଦୀପାବଳିର ଦିନକ ପରେ ଅର୍ଥାତ୍ ଶୁକ୍ରବାର ଦିନ ଦିଲ୍ଲୀର ବାୟୁ ମାନ ‘ବିପଜ୍ଜନକ’ ପରିସ୍ଥିତିକୁ ଖସି ଆସିଥିଲା। ଶନିବାର ମଧ୍ୟ ଦିଲ୍ଲୀର କେତେକ ଅଞ୍ଚଳରେ ବାୟୁ ମାନ ‘ବିପଜ୍ଜନକ’ ବର୍ଗରେ ରହିଥିଲା। ସେଦିନ ଆନନ୍ଦ ବିହାର ଏବଂ ଫରିଦାବାଦରେ ଦିଲ୍ଲୀରେ ‘ଏକ୍ୟୁଆଇ’ ୬୦୦ ଊର୍ଦ୍ଧ୍ବ ଥିବା ରେଜିଷ୍ଟ୍ରି ହୋଇଥିଲା। ଆତସବାଜି ଫୁଟା ଏବଂ ପଡ଼ୋଶୀ ରାଜ୍ୟମାନଙ୍କରେ ଥିବା କ୍ଷେତରେ ନଡ଼ା ପୋଡ଼ି ଯୋଗୁଁ ଦିଲ୍ଲୀରେ ବାୟୁ ମାନ ନିମ୍ନଗାମୀ ହେଉଛି। ତେଣୁ, ଆଗାମୀ କେତେ ଦିନ ମଧ୍ୟରେ ଦିଲ୍ଲୀର ବାୟୁ ମାନରେ ଉନ୍ନତି ଘଟିବାର ସମ୍ଭାବନା ନାହିଁ। କେବଳ ପଞ୍ଜାବରେ ୩୫୦୦ଟି ନଡ଼ା ପୋଡ଼ା ଯାଉଥିବା କଥା ‘ନ୍ୟାସ୍ନାଲ୍ ଏରୋନେଟିକ୍ସ୍ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍’ (ନାସା) ଉତ୍ତୋଳନ କରିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି।
